ସ୍ଵୟଂଶାସିତ ଦକ୍ଷିଣାଞ୍ଚଳ ବିକାଶ ପରିଷଦ ଗଠନ ନେଇ ସୁପାରିଶ କରୁ : ସହର ତଳି କ୍ରିୟାନୁଷ୍ଠାନ କମିଟି



(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବିଳମ୍ବରେ ହେଲେ ମଧ୍ୟ ଲୋକଙ୍କ ଦାବୀ ଆଗରେ ମୁଣ୍ଡ ନୁଆଇଁ ଗତକାଲି ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ଘୋଷଣା କରିବା ସହ ଏଥି ନିମନ୍ତେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ଵରେ ଏକ ଟାସ୍କ ଫୋର୍ସ ଗଠନ କରିଥିବାରୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସ୍ବାଗତ କରିବା ସହ ସରକାର ଏହି ବିକାଶ ପରିଷଦକୁ ସ୍ଵୟଂଶାସିତ ମାନ୍ୟତା ଦେବେ ବୋଲି କମିଟି ଆଶା କରୁଛି। ଟାସ୍କ ଫୋର୍ସ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ରୂପରେଖ ଓ ଢାଞ୍ଚା କଣ ହେବ ସେ ନେଇ ତିରିଶ ଦିନ ଭିତରେ ନିଜର ସୁପାରିଶ ଦେବ। କିନ୍ତୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଓ ଗୁରୁତ୍ତ୍ୱପୂର୍ଣ ସହର ବ୍ରହ୍ମପୁରର ସାଂସଦ ଓ ବିଧାୟକ ଏହି ଟାସ୍କ ଫୋର୍ସରେ ସ୍ଥାନ ପାଇନଥିବାରୁ ଏହି ଟିମ୍ ଅସମ୍ପୂର୍ଣ୍ଣ ଥିଲା ଭଳି ଲାଗୁଛି। ସେହିଭଳି ଆମ ଦାବୀ ମୁତାବକ ସରକାର ସ୍ଵୟଂଶାସିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପରିବର୍ତ୍ତେ କେବଳ ଏକ ଦନ୍ତ ହୀନ ବିକାଶ ପରିଷଦ ଗଠନ ନେଇ ଘୋଷଣା କରିଥିବାରୁ କମିଟି କ୍ଷୋଭ ପ୍ରକାଶ କରିଛି। ଅଧିକନ୍ତୁ ଏହି ଦକ୍ଷିଣାଞ୍ଚଳର ଆଞ୍ଚଳିକ ବୈଷମ୍ୟ, ଉତ୍କଟ ଦାରିଦ୍ର୍ୟ , ଭୌଗୋଳିକ ଅବସ୍ଥିତି ଓ ସର୍ବବିଧ ଅନଗ୍ରସରତା ଏବଂ ଚିର ଐତିହାସିକ ଅବହେଳାକୁ  ବିଚାରକୁ ନେଇ ଟାସ୍କ ଫୋର୍ସ ନିଜ ଆଡୁ ସ୍ଵୟଂଶାସିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ସରକାରଙ୍କୁ ସୁପାରିଶ କରୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ କରି କୁହାଯାଇଛି। କାରଣ ଆମ ସଂଗଠନ ମନେ କରେ ଯେ ଦକ୍ଷିଣାଞ୍ଚଳ ସକାଶେ ସେଭଳି ଦନ୍ତହୀନ ବିକାଶ ପରିଷଦ ନୁହେଁ ଏକ ଶସକ୍ତ ବିକାଶ ପରିଷଦର ଆବଶ୍ୟକ ଅଛି। ଏଭଳି କରି ସରକାର ଯେଉଁ ଆଞ୍ଚଳିକ ବୈଷମ୍ୟ ଓ ଭେଦଭାବ ରହିଛି ତାହାକୁ କୌଣସି ମତେ ପ୍ରଶମିତ କରିଦେବାକୁ ଚାହାନ୍ତି ଯାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ।   ସରକାର ଯଦି ବାସ୍ତବରେ ଆଞ୍ଚଳିକ ବୈଷମ୍ୟବାଦ ଓ ଆଞ୍ଚଳିକ ଭେଦଭାବ ଦୂର କରିବାକୁ ଆନ୍ତରିକତାର ସହ ଚାହାନ୍ତି ତାହାହେଲେ ସ୍ଵତନ୍ତ୍ର ସ୍ୱୟଂଶାସିତ ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ  ଗଠନ କରି ଦିଅନ୍ତୁ। ଯେଉଁଥିରେ ସମୁଦାୟ ସଦସ୍ୟ ମଣ୍ଡଳୀର ଅଧା ନିର୍ବାଚିତ ପ୍ରତିନିଧି  ଓ ବାକି ଅଧା ସରକାରଙ୍କ ଦ୍ଵାରା ମନୋନୀତ ବ୍ୟକ୍ତି ଯେଉଁମାନେ ବିଭିନ୍ନ ବିଷୟରେ ବ୍ରୂତ୍ତିଧାରୀ  ବିଶେଷଜ୍ଞ ଥିବେ ସେହିମାନଙ୍କୁ ମନୋନୀତ କରାଯିବର ବ୍ୟବସ୍ଥା ରହିବା ଦରକାର । ଏହାର ପ୍ରସାଶନିକ ପରିଚାଳନା ନିମନ୍ତେ ଜଣେ ଦକ୍ଷ ବରିଷ୍ଠ ସର୍ବ ଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହୁ। ଏହାର ଅଧକ୍ଷ ଜଣେ ଏକାଡେମୀସିଆନ କିମ୍ବା ଜଣେ ବରିଷ୍ଠ ସଚ୍ଚୋଟ ଦୁରଦୃଷ୍ଟି ସମ୍ପନ୍ନ ରାଜନେତାଙ୍କୁ ନିଯୁକ୍ତି ଦେବା ବ୍ୟବସ୍ଥା ରହୁ। ଅବସରପ୍ରାପ୍ତ ଆଇିଏଏସ ଅଧିକାରୀଙ୍କ ଥଇଥାନ କେନ୍ଦ୍ର ନହେଉ।  ଏହାର ପ୍ରଶାସନିକ ଭବନ ଭୌଗୋଳିକ , ଯୋଗାଯୋଗ ଓ ପ୍ରଶାସନିକ କାର୍ଯ୍ୟର ସୁଗମତା ନିମନ୍ତ୍ ଏହାର ମୁଖ୍ୟାଳୟ ବ୍ରହ୍ମପୁରରେ ରହୁ। ପରିଷଦକୁ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଯୋଜନା ଓ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରୀ କରିବାର କ୍ଷମତା ରହିବା ଦରକାର। ସେହିଭଳି  ସ୍ଥାନୀୟ ଭାବରେ ଉପଲବ୍ଧ ପ୍ରାକୃତିକ ସମ୍ପଦକୁ ମୂଲ୍ୟ ଯୁକ୍ତ ଉପଯୋଗ କରିବାର ଅଧିକାର ପରିଷଦକୁ ମିଳିବା ଦରକାର। ରାଜ୍ୟ ବଜେଟ ରେ ସ୍ଵତନ୍ତ୍ର ବଜେଟାରୀ ସପୋର୍ଟ ପ୍ରୋଭିଜନ  ରହିବା ଦରକାର । ସେହିଭଳି ଏହି ପରିଷଦକୁ ଆଇନଗତ ସୀକୃତି ଓ ସାମ୍ବିଧାନିକ ମାନ୍ୟତା ମିଳିବା ଦରକାର । କମିଟିର ଏହି ସବୁ ତଥ୍ୟ , ବିଷୟ ଓ ପରାମର୍ଶ ଉପରେ ଟାସ୍କ ଫୋର୍ସ ବିଚାର କରି ସରକାରଙ୍କୁ ସୁପାରିଶ କରୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ଖୁବ୍ ଶୀଘ୍ର କମିଟି ଏ ସମ୍ପର୍କରେ ଏକ ଦାବୀ ପତ୍ର ଟାସ୍କ ଫୋର୍ସ ସଦସ୍ୟ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କୁ ପ୍ରଦାନ କରିବ ବୋଲି ସେ ପ୍ରକାଶ କରିଛନ୍ତି। କମିଟି ଏହା ଉପରେ ଏଥି ପୂର୍ବରୁ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ଇମେଲ ମାଧ୍ୟମରେ ଦେଇଥିଲା। କମିଟି କହିଛି କେବଳ ବିକାଶ ପରିଷଦ ନାମରେ ଏକ ପ୍ରଭାବ ହୀନ ସଂସ୍ଥା ଓ ଅନୁଷ୍ଠାନ ଗଠନ କରିଦେଲେ ଏହାର ସୁଫଳ କିଛି ମିଳିବ ନାହିଁ। କାରଣ ଦକ୍ଷିଣାଞ୍ଚଳ ଚିରାଚରିତ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତ। ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ଦକ୍ଷିଣାଞ୍ଚଳ କୁ ଐତିହାସିକ  ଏବଂ ମୋନୁମେଣ୍ଟାଲ  ଅବହେଳା ଓ ଅଣଦେଖା କରାଯାଇଛି।  ଫଳସ୍ୱରୂପ ଏହି ଅଞ୍ଚଳ ଦାରିଦ୍ର୍ୟ ଓ ଦାଦନ ର ପରିଚୟ ନେଇ ହୀନମନ୍ୟତାରେ ଜର୍ଜରିତ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ନିଯୁକ୍ତି, ଭିତ୍ତିଭୂମି, ଶିଳ୍ପ, ଟେକ୍ନୋଲୋଜି, ଭୌଗୋଳିକ ଅବସ୍ଥିତି, ପରିବେଶ,ରାଜନୈତିକ ଜଳସେଚନ,ମୌଳିକ ସୁବିଧା, ପର୍ଯ୍ୟଟନ ଓ ଗମନାଗମନ ଏହିଭଳି ଅନେକ ବ୍ୟବସ୍ଥା ଓ ସୁବିଧା ଦୃଷ୍ଟିକୋଣରୁ ପ୍ରଭୃତି ବହୁ କ୍ଷେତ୍ରରେ ତୁଳନାତ୍ମକ ଭାବରେ ପଛୁଆ, ଅବହେଳିତ, ଅନଗ୍ରସର ଓ ଅବିକଶିତ।  ଏହି ସବୁ ଅଞ୍ଚଳରେ ଏକ ବଡ଼ ଭାଗ ଜନଜାତି ସମ୍ପ୍ରଦାୟର ଓ ପଛୁଆ ବର୍ଗ ଜାତିର ଲୋକ ବସବାସ କରନ୍ତି। ଯେଉଁମାନେ ଉପଯୁକ୍ତ ଶିକ୍ଷା ଓ ସ୍ଵାସ୍ଥ୍ୟ ସୁବିଧାରୁ ବଂଚିତ  ଶିଶୁ ମୃତ୍ୟୁ ହାରରେ ଆଗରେ। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏଠାକାର ଲୋକେ ଅଖାଦ୍ୟ ଖାଇବା ଓ ଅଜଣା ରୋଗରେ ଜୀବନ ହରୁଥିବାର ଲଜ୍ୟଜନକ ଦୃଶ୍ୟ ଆଜି ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏଠାକାର ଲୋକଙ୍କ ମୁଣ୍ଡ ପିଛା ଆୟ ଓ କ୍ରୟ ଶକ୍ତି କ୍ଷମତା ଜାତୀୟ ହାର ଠାରୁ ବହୁତ କମ୍ । ସୁତରାଂ କେବଳ ସ୍ଵୟଂଶାସିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ହିଁ ଏହି ଅଞ୍ଚଳର ଭାଗ୍ୟରେ ଓ ପରିସ୍ଥିତିରେ ପରିବର୍ତ୍ତନ ଆଣିପାରିବ ବୋଲି କମିଟି ବିଶ୍ୱାସ କରେ।

Post a Comment

Previous Post Next Post