(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା :୨୧ ଡିସେମ୍ବର ଶନିବାର ଓଡିଶା ପରିବେଶ କଂଗ୍ରେସର ଦ୍ଵିତୀୟ ଦିବସ । ପରିବେଶବିତ୍ ସୁଦର୍ଶନ ଦାସଙ୍କ ଆବାହାରକତ୍ୱରେ ଆୟୋଜିତ ୧୫ ତମ ଏହି ସମାବେଶ ଅବସରରେ ଭାରତ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୈଜ୍ଞାନିକ ଓ ଗବେଷକ ମାନେ ଉପକୂଳ ଓ ପରିବେଶ ସମ୍ବନ୍ଧୀୟ ସନ୍ଦର୍ଭମାନ ଉପସ୍ଥାପନ କରିଥିଲେ । ଆଜିର ବିଶେଷ ଆକର୍ଷଣୀୟ ଓ ଉପାଦେୟ କାର୍ଯ୍ୟକ୍ରମ ରହିଥିଲା 'ପିଲାଙ୍କ ପରିବେଶ କଂଗ୍ରେସ' । ଏହି ବୌଦ୍ଧିକ ସମାବେଶରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରୁ ୩୦୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଉଦ୍ଘାଟନ କରିଥିଲେ । ସୁଧୀର ରାଉତଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ମୂଖ୍ୟବକ୍ତା ଭାବେ ଗ୍ରୀନ ନୋବେଲ୍ ବିଜେତା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେଇ ପିଲାମାନଙ୍କୁ ସ୍ବିଡେନ୍ ର ବିଶ୍ଵ ବିଖ୍ୟାତ ଶିଶୁ ପରିବେଶ କର୍ମୀ ର ଉଦାହରଣ ଦେଇ କହିଲେ ଯେ ଏ ପୃଥିବୀ ହେଉଛି ପିଲାମାନଙ୍କର ତେଣୁ ସେମାନେ ବିପର୍ଯ୍ୟସ୍ତ ପରିବେଶ ବିଷୟରେ ଅବଗତ ହୋଇ ଏହାର ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ହେବ । ମାଟି ପାଣି ପବନ କୁ ସୁରକ୍ଷିତ ରଖିଲେ ସେମାନଙ୍କ ଭବିଶ୍ୟତ ସୁରକ୍ଷିତ ରହିପାରିବ। ମୂଖ୍ୟ ଅତିଥିଭାବେ ଭୁବନେଶ୍ଵର ସର୍ବଭାରତୀୟ ଆୟୁବିଜ୍ଞାନ ଓ ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ ମହାପାତ୍ର, ଯୋଗ ଦେଇ ବିଭିନ୍ନ ରୋଗ ସହ ବିପର୍ଯ୍ୟସ୍ତ ପରିବେଶ କିପରି ଭାବେ ଦାୟୀ ସେ ବିଷୟରେ ଆଲୋଚନା କରି ଦୀର୍ଘ ଓ ନିରାମୟ ଜୀବନ ପାଇଁ ପରିବେ ସୁରକ୍ଷାର ଅନିବାର୍ଯ୍ୟତା ବିଷୟରେ ଉଲ୍ଲେଖ କରିଥିଲେ । ଇ ତେଜେଶ୍ଵର ରାଓ, ପ୍ରଫେସର ତମୋଘ୍ନା ଆଚାର୍ଯ୍ୟ, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ , ଜୟ କୃଷ୍ଣ ପାଣି ଗ୍ରାହୀ, ଶ୍ୟାମସୁନ୍ଦର ଖାଡ଼ଙ୍ଗା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ଭିତ୍ତିକ ଚିତ୍ର କଳା, ବତ୍କୃତା , ରଚନା, କୁଇଜ୍, କଣ୍ଠ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଓ ୨୬ ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଶିକ୍ଷାବିତ ତଥା ପରିବେଶବିତ୍ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ଯୋଦ୍ଧା ହେବା ପାଇ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ଇକୋ କ୍ଲବ୍ ସଂଯୋଜକ ଡ.ଶଙ୍କର ନାରାୟଣ ବେଜ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଓ ବିଶ୍ଵବିଦ୍ୟାଳୟର ଏନ୍ ଏସ୍ ଏସ୍ ଅଧିକାରୀ ଡ ଶଙ୍କର୍ଷଣ ମଲ୍ଲିକ ଅନ୍ୟବାଦ ଅର୍ପଣ କରିଥିଲେ ।


