(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ କମିଟି କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ସହର ସନ୍ନିକଟ ଜଗଦଳପୁର ଗ୍ରାମରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ଵାରା ଅନୁଷ୍ଠିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ସାକ୍ଷାତ କରି ୨୦୦୮ ଗେଜେଟ ବିଜ୍ଞପ୍ତି ଅନୁଯାୟୀ ସହର ତଳି ଅଞ୍ଚଳର ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ ନେଇ ନିଜ ସ୍ତରରେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ବିଶେଷ କରି ତାଙ୍କର ନିଜ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ସହର ସନ୍ନିକଟ ପଞ୍ଚାୟତ ଜଗଦଳପୁର, ଆଙ୍କୁଶପୁର, ଲାଠି, ବେନ୍ଦାଳିଆ ଓ ଦକ୍ଷିଣପୁର ପଞ୍ଚାୟତକୁ ବିଏମସିରେ ମିଶ୍ରଣ ନେଇ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ। କମିଟି ସଦସ୍ୟମାନେ ଏ ନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ ରହିଥିବା ନେଇ ବିଧାୟକଙ୍କୁ ଅବଗତ କରାଯିବା ସହ ମହାନଗର ନିଗମର ମଧ୍ୟ ଏ ସଂକ୍ରାନ୍ତରେ ସୁପାରିଶ ରହିଥିବା କଥା ଦର୍ଶାଯାଇଥିଲା। ମିଶ୍ରଣ ନେଇ ଅଦ୍ୟାବଧି ହୋଇଥିବା ଅଗ୍ରଗତି ଓ ସମସ୍ତ ଘଟଣାବଳୀ ସଂକ୍ରାନ୍ତ ଆଦାନ ପ୍ରଦାନ ହୋଇଥିବା ସମସ୍ତ ତଥ୍ୟ ଭିତ୍ତିକ ନଥିପତ୍ର ଦାବୀ ପତ୍ର ସହ ସଂଯୁକ୍ତ କରି ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ଦାବୀ ପତ୍ର ଗ୍ରହଣ କରି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ ନେଇ ସେ ନିଶ୍ଚିତ ଭାବରେ ପଦକ୍ଷେପ ଗ୍ରହଣ କରିବେ। ଏହା ବହୁତ ଭଲ କଥା ଏବଂ ଡିଲିମିଟେସନ ସମୟରେ ଏହା ଉପରେ ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁକମିଟି ପକ୍ଷରୁ ଏହି ଦାବୀ ନେଇ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ, ଗୋପାଳପୁର ବିଧାୟକ ତଥା ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କୁ ପ୍ରଦାନ କରା ଯାଇଛି। ସାମିଲ ହେବାକୁ ଥିବା ଆଉ କିଛି ସହର ତଳି ପଞ୍ଚାୟତ ଚିକିଟି ଓ ଛତ୍ରପୁର ବିଧାୟକଙ୍କ ଅଧୀନରେ ଆସୁଥିବାରୁ ଆଗାମୀ ଦିନରେ କମିଟି ପକ୍ଷରୁ ଏହି ଦୁଇ ବିଧାୟକଙ୍କୁ ମଧ୍ୟ ଏ ନେଇ ଦାବୀ ପତ୍ର ଦେଇ ଅବଗତ କରାଯିବ ବୋଲି କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ କହିଛନ୍ତି। ଦାବୀ ପତ୍ର ପ୍ରଦାନ ସମୟରେ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସହ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପ କୋଷାଧ୍ୟକ୍ଷ ସୁନିଲ କୁମାର ପାତ୍ର, ଜଗଦଳପୁର ସରପଞ୍ଚ କାନ୍ତୀ କୁମାରୀ ଦେବୀ ଓ ବିନୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।