(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା :ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଦାନାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସରକାରୀ ସ୍ତରରେ ଏହାର ମୁକାବିଲା ଓ କ୍ଷୟକ୍ଷତିକୁ କମ୍ କରିବା ନିମନ୍ତେ ପ୍ରଶାସନିକ କଳ ଦ୍ଵାରା ବ୍ୟାପକ ତୟାରୀ ଓ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ସେହିଭଳି ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଓ ବିଭ୍ରାଟକୁ ସଜାଡ଼ିବା ପାଇଁ ଏବଂ ଲୋକଙ୍କ ଜୀବନ ଯାପନ ପ୍ରଣାଳୀକୁ ପୂର୍ବପରି ସ୍ଵାଭାବିକ ଅବସ୍ଥାକୁ ଆଣିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଏଜେନ୍ସୀ ବିଭିନ୍ନ ଆନୁଷଙ୍ଗିକ ଉପକରଣ ଓ ସରଞ୍ଜାମ ସଜାଡି ନିଜର ପ୍ରସ୍ତୁତିକୁ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ସେହି କ୍ରମରେ ବ୍ରହ୍ମପୁରରେ ବାତ୍ୟା ଦାନାର ମୁକାବିଲା ନେଇ ବ୍ରହ୍ମପୁର ମହାନଗର ନିଗମ ଜୋରସୋରରେ ନିଜର ପ୍ରସ୍ତୁତି ଚଳେଇ ଥିବା ବେଳେ ସେଥିରୁ ସହର ସନ୍ନିକଟ ଅଞ୍ଚଳ ଗୁଡ଼ିକୁ ଅଣଦେଖା ଓ ଉପେକ୍ଷା କରି ବାଦ୍ ଦେଇଥିବାରୁ ସହର ତଳି ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବ୍ରହ୍ମପୁର ମହାନଗର ନିଗମ ବାତ୍ୟାର ମୁକାବିଲା ଏବଂ ବାତ୍ୟା ସମୟରେ ଯେଉଁ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି ତାହାକୁ ଦୃଷ୍ଟିରେ ରଖି ସହରରେ ଥିବା ନାଳ ନାର୍ଦ୍ଧମା ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫା କରୁଥିବା ବେଳେ ପ୍ରମୁଖ ଖୋଲା ଡ୍ରେନ ଗୁଡ଼ିକ ଉପରେ ଢାଙ୍କୁଣି ପକେଇବା ପାଇଁ ନିର୍ଦ୍ଧେଶ ଜାରି କରିଛି । ଯାହାଫଳରେ ତଦ୍ ଜନିତ କୌଣସି ଅଘଟଣ ଓ ଜୀବନ ହନୀ ଯେଭଳି ନଘଟେ ତାହା ଉପରେ ଗୁରୁତ୍ତ୍ଵ ଆରୋପ କରାଯାଇଛି। ବସ୍ତି ଓ ଚାଳ ଛପର ଘରେ ବସବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ନିଆଯିବର ବନ୍ଦୋବସ୍ତ କରାଯାଇଛି। କୌଣସି ଅସୁବିଧା କିମ୍ବା କୌଣସି ଜୀବନ ହାନି ଯେଭଳି ନଘଟିବ ତାହାକୁ ସୁନିଶ୍ଚିତ କରାଯାଇ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଛି। ସୁତରାଂ ସେହି ଆଧାରରେ ବ୍ରହ୍ମପୁର ମହାନଗର ନିଗମ ଯଦି ନିଜର ବାତ୍ୟା ମୁକାବିଲା ପଦକ୍ଷେପ ଓ ପ୍ରସ୍ତୁତିକୁ ସହର ସନ୍ନିକଟ ଅଞ୍ଚଳକୁ ସମ୍ପ୍ରସାରିତ କରି ସେବା ଯୋଗାଇ ଦେଇଥିଲେ କଣ ଅସୁବିଧା ହେଇ ଯାଇ ଥାନ୍ତା ତାହା ବୁଝା ପଡୁ ନାହିଁ। କାରଣ ଏହି ସବୁ ଅଞ୍ଚଳ ଆଗକୁ ମହାନଗର ନିଗମରେ ସାମିଲ ହେବାକୁ ଯାଉଛି। ସେହି ସବୁ ସହର ସନ୍ନିକଟ ଓ ତଳିଆ ଅଞ୍ଚଳରେ ରାସ୍ତାଘାଟ ଠିକ୍ ନଥିବା ବେଳେ ବ୍ୟବସ୍ଥିତ ଡ୍ରେନ ନାହିଁ। ଅଧିକନ୍ତୁ ଯେଉଁଠି ଡ୍ରେନ ଅଛି ସେଠାରେ ଡ୍ରେନ ସଫେଇ ହେଇ ନାହିଁ ଏବଂ ଅଧିକାଂଶ ଡ୍ରେନ ଗୁଡ଼ିକରେ ଢାଙ୍କୁଣି ନଥିବାରୁ ମାଟି ଗୋଡ଼ି ପଙ୍କ ଆଦିରେ ଭରି ହେଇ ସାମାନ୍ୟ ସମୟରେ ପାଣି ନିଷ୍କାସନ ବାଧା ରହୁଥିଲା ବେଳେ ବାତ୍ୟା ପ୍ରଭାବରେ ଲଗାତର ଭାବରେ ପ୍ରବଳ ବର୍ଷା ହେଲେ ଏଠାରେ ମଧ୍ୟ ପରିସ୍ଥିତି କିଭଳି ଗମ୍ଭୀର ହେବ ସହଜେ ଅନୁମେୟ। ବର୍ଷା ଯଦି ଜୋରରେ ହୁଏ ତାହାହେଲେ ଅନେକ ରାସ୍ତା ଧୋଇ ହୋଇଯିବା ସହ ତଳିଆ ଅଞ୍ଚଳରେ ଘରେ ପାଣି ପଶିବା ସହ ଜଳବନ୍ଦି ହେବା ସମ୍ଭାବନା ରହିଛି । ଅଧିକନ୍ତୁ ପଞ୍ଚାୟତର ସେହି ସାଧନ, ସରଞ୍ଜାମ ସୁବିଧା ଓ ଦକ୍ଷତା ନଥିବାରୁ ବ୍ରହ୍ମପୁର ମହାନଗର ନିଗମ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ବାତ୍ୟା ମୁକାବିଲା ପଦକ୍ଷେପ କ୍ଷେତ୍ରକୁ ପରିବ୍ୟାପ୍ତ କରି ସହର ସନ୍ନିକଟ ଅଞ୍ଚଳକୁ ସାମିଲ କରି ପ୍ରତିଷେଧକ ବ୍ୟବସ୍ଥା ସହ ବାତ୍ୟା ପରବର୍ତ୍ତୀ ଜରୁରୀ ସେବା ଯୋଗାଇବା ଓ ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେବାକୁ ବିଚାର କରୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିବେଦନ କରାଯାଇଛି।