( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଅବିଭାଜ୍ୟ ଗଞ୍ଜାମ ଅଧୀନସ୍ଥ ତତ୍କାଳୀନ ବଡ଼ଖେମୁଣ୍ଡି ରାଜ୍ୟର ଜାତିସ୍ମର ରାଜାସାହେବ ଗଜପତି କୃପାମୟ ଅନଙ୍ଗ ଭୀମଦେବଙ୍କ ୧0୨ତମ ତିରୋଧାନ ଦିବସ ଅବସରରେ ଐତିହାସିକ ଉତ୍କଳ ଆଶ୍ରମ ସଭାଗୃହରେ ଆଜି ସନ୍ଧ୍ୟାରେ ଏକ ସ୍ମୃତି ସମାରୋହ ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ଆଶ୍ରମ ନ୍ୟାସ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ନ୍ୟାସର ସଂପାଦକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସଭାପତିତ୍ବ କରିଥିଲେ l ବୈଦିକ ମନ୍ତ୍ରୋଉଚ୍ଚାରଣ ମଧ୍ୟରେ ବ୍ରହ୍ମପୁର ବିଧାୟକ କେ. ଅନୀଲ୍ କୁମାର ମୁଖ୍ୟଅତିଥି ରୂପେ ଯୋଗଦେଇ ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ଭବ୍ୟ ସମାରୋହର ଶୁଭାରମ୍ଭ କରିଥିଲେ l ଗଞ୍ଜାମ ସଂସ୍କୃତିର ବିଶିଷ୍ଟ ଗବେଷକ ଡ. ଅନନ୍ତରାମ କର କୌଣ୍ଡିନ୍ୟ ମୁଖ୍ୟବକ୍ତା ରୂପେ ଯୋଗଦେଇ ଓଡ଼ିଆ ଜାତିର ଅସ୍ମିତା ନିର୍ମାଣରେ ବଡ଼ଖେମୁଣ୍ଡି ରାଜା ଗଜପତି କୃପାମୟ ଅନଙ୍ଗ ଭୀମଦେବଙ୍କ ଭୂମିକା ଏବଂ ଉତ୍କଳ ଆଶ୍ରମ ସ୍ଥାପନରେ ଆର୍ଥିକ-ପୃଷ୍ଠପୋଷକତା ସଂପର୍କରେ ପ୍ରାମାଣିକ ତଥ୍ୟ ସହ ସ୍ମୃତି-ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ସମାରୋହରେ ଶତାୟୁ ଦୀର୍ଘ ଆୟୁଷ୍କାଳ ଅତିକ୍ରମ କରି ସାରିଥିବା ଖ୍ୟାତିସଂପନ୍ନ କୃଷ୍ଣଲୀଳା ଗୁରୁ ପଦ୍ମଶ୍ରୀ ଗୋପୀନାଥ ସ୍ୱାଇଁଙ୍କୁ ୨0୨୩ ମସିହା ନିମନ୍ତେ 'କୃପାମୟ ଅନଙ୍ଗ ଭୀମଦେବ ସ୍ମୃତି ସମ୍ମାନ' ଏବଂ ମଧ୍ୟକାଳୀନ ଓଡ଼ିଆ ସାହିତ୍ୟ ତଥା ଲୋକସଂସ୍କୃତି ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀଙ୍କୁ ୨0୨୪ ମସିହା ନିମନ୍ତେ 'କୃପାମୟ ଅନଙ୍ଗ ଭୀମଦେବ ସ୍ମୃତି ସମ୍ମାନ'ରେ ସମ୍ମାନିତ କରାଯାଇଥିଲା l ଉଭୟ ବିଦ୍ୱାନଙ୍କୁ ପ୍ରଶସ୍ତିପତ୍ର, ଅଙ୍ଗବସ୍ତ୍ର ଓ ପୁଷ୍ପ-ଚନ୍ଦନ ଅର୍ପଣ ପୂର୍ବକ ଏହି ମର୍ଯ୍ୟାଦାପନ୍ନ ସମ୍ମାନ ପ୍ରଦାନ କରାଯାଇଥିଲା l ଡ. କୃଷ୍ଣପ୍ରସାଦ ମହାପାତ୍ର ଓ ଡ. ସଞ୍ଜୟ କୁମାର ପଣ୍ଡା ପ୍ରଶସ୍ତିପତ୍ର ପାଠ କରିଥିଲେ l ଉକ୍ତ ସ୍ମୃତି ସମାରୋହରେ ବଡ଼ଖେମୁଣ୍ଡି ରାଜ ପରିବାରର ମୋହନ ପ୍ରସାଦ ଦେବ, ସୁଶାନ୍ତ ପ୍ରସାଦ ଦେବ, କିଶୋର ପ୍ରସାଦ ଦେବ, ସିଦ୍ଧାନ୍ତ ଗଙ୍ଗଦେବ ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧା ନିବେଦନ କରିଥିଲେ l ଉତ୍କଳ ଆଶ୍ରମ ନ୍ୟାସର ସଦସ୍ୟ ତଥା ବଡ଼ଗଡ଼ ରାଜ ପରିବାରର କୃଷ୍ଣ ସିଂହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଡ. ହୃଷୀକେଶ ପଣ୍ଡା ମଞ୍ଚ ଆମନ୍ତ୍ରଣ ସହ ଅତିଥି ପରିଚୟ ଏବଂ ଡ. କୁଳମଣି ଓଝା ବେଦପାଠ କରିବା ସଂଗେ ସଂଗେ କୃପାମୟ ଅନଙ୍ଗ ଭୀମଦେବଙ୍କ ରଚିତ 'କି ଶୋଭା ଗୋ କୁଞ୍ଜେ, ମଦନ ମୋହନ' ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ l ପରିଶେଷରେ ଡ. ବନମାଳୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l


