୩୬ କିଲୋ ଗଞ୍ଜେଇ ଜବତ, ୨ ଗିରଫ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ମିଳିଛି ସଫଳତା। ୩୬ କିଲୋ ଗଞ୍ଜେଇ ସମେତ ୨ ଜଣ ଚାଲାଣକାରୀ ଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଅଜିତ ସିଂ ବରୀହା ଙ୍କ ନେତୃତ୍ୱରେ ଏକ ଟିମ ଚିତ୍ରକୋଣ୍ଡା ଛକ ନିକଟରେ ଜଗି ରହିଥିଲେ। ୨ ଚାଲାଣକାରୀ ଚିତ୍ରକୋଣ୍ଡା ଅଞ୍ଚଳରୁ ବସ ଯୋଗେ ଗଞ୍ଜେଇ ନେଉଥିଲେ। ଓରକେଲ ପୋଲିସ ର ଏହି ଟିମ ବସ ରେ ପଶି ଛାନଭିନ କରିବା ସମୟରେ କିଛି ବ୍ୟାଗ ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ବସ ରୁ ୨ ଚାଲାଣକାରୀ ଙ୍କୁ ବାହାର କରି ପୋଲିସ ପଚରାଉଚରା କରିଥିଲା। ପରେ ଉଭୟ ଚାଲାଣକାରୀ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ରୁ ନିଜ ଅଞ୍ଚଳ ଉତ୍ତରପ୍ରଦେଶ କୁ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା କହିଥିଲେ। ୨ ଚାଲାଣକାରୀ ଙ୍କ ନାମ  ଲଖନ ସିଂ ଓ ଗୋବିନ୍ଦ ଦାସ ଉଭୟ ଉତ୍ତରପ୍ରଦେଶ ର କାନାଉଜ୍ ଜିଲ୍ଲା ର  ମିଆଁଗଞ୍ଜ ଓ ଗାଜିପୁରା ଗ୍ରାମର ବୋଲି ଜଣାପଡିଛି। ସେମାନଙ୍କ ନିକଟରୁ ୩୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ସୂଚନା ଦେଇଛି। ଆଜି ଉଭୟ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

Post a Comment

Previous Post Next Post