ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ଛକ ବୁଲା ଗୋରୁମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି।ଫଳରେ ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଦିନିକିଆ ଘଟଣା ନୁହେଁ ବରଂ ପ୍ରତ୍ୟେକ ଦିନ ଲୋକମାନେ ଯାତାୟତ ବେଳେ ଏହି ଗୋରୁଙ୍କ ପାଇଁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବୁଲା ଗୋରୁଗାଈ ସହରର ବିଭିନ୍ନ ରାସ୍ତା ଅବରୋଧ କରି ରହୁଥିବାରୁ ଛୋଟ ବଡ ଦୁର୍ଘଟଣାମାନ ହେଉଥିବା ଦେଖିବାକୁ ମିଳୁଛି। ବିଶେଷ କରି ସ୍କୁଲ ଯିବା ଆସିବା ସମୟରେ କୁନି କୁନି ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଜଣାପଡିଛି।ଗୋରୁଗାଈ ମାଲିକମାନେ ନିଜ ଘରେ ଗୁହାଳ କରି ରଖିବା ପରିବର୍ତ୍ତେ ରାସ୍ତାକୁ ଛାଡି ଦେଉଛନ୍ତି।ଏପରିକି ବେଳେ ବେଳେ ଗାଡି ଦୁର୍ଘଟଣାରେ ନୀରିହ ଗୋରୁଗାଈ ସମେତ ଲୋକମାନେ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି। ପ୍ରତ୍ୟେକ ଦିନ ଗୋରୁପଲଙ୍କ ଅବାଧ ଚଳପ୍ରଚଳ ଯୋଗୁଁ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଏବେ ସେହି ରାସ୍ତା ଦେଇ ଯିବା ଆସିବା କରିବାକୁ ଭୟ କରୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏକ ଗୋଶାଳା କରିବା ସହ ପୌର ପରିଷଦ ପକ୍ଷରୁ ଗୋରୁଗାଈ ମାଲିକଙ୍କ ଠାରୁ ଜରିମାନା ଆଦାୟ କରନ୍ତୁ ଏବଂ ଯେଉଁମାନେ ଗୋରୁ ଗାଈ ରଖୁଛନ୍ତି ସେମାନଙ୍କୁ ନିଜ ଘରେ ରଖିବାକୁ ତାଗିଦ କରିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।