ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଅଚଳ ହୋଇ ପଡିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି ୭୯ ମୁଖ୍ୟ ଛକଠାରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ୍ ମେସିନ୍ । ପ୍ରାୟ ପାଞ୍ଚ ମାସ ହେବ ଏଟିଏମ୍ ମେସିନ୍ ଖରାପ ଥିବାରୁ ଏମଭି ୭୯ ସମେତ ଆଖପାଖ ଅଞ୍ଚଳଗୁଡ଼ିକରେ ଥିବା ଅନେକ ବ୍ୟବସାୟୀ ଓ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୋଟୁ ରୁ ଆରମ୍ଭ କରି ଏମଭି ୭୯ ଅଞ୍ଚଳ ମଧ୍ୟରେ ଏହି ଏକମାତ୍ର ଏଟିଏମ ଟି ରହିଛି। ସୂଚନା ଅନୁଯାୟୀ, ଗତ ୨୦୧୬ ମସିହାରେ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷ୍ୟରୁ ଏମଭି ୭୯ ଗ୍ରାମ ଠାରେ ଏହି ଏଟିଏମ ପ୍ରତିଷ୍ଠା କରାଯାଇଥିଲା। ଏହି ଏଟିଏମ ଉପରେ କାଲିମେଳା ବ୍ଳକର ତାଣ୍ଡବାଈ, ମହାରାଜପଲ୍ଲୀ, ଲୁଗେଲ, ମାଲାଭରମ, ଟିଗଲ, ଭୁବନପଲ୍ଲୀ, ପୁଷୁଗୁଡା ଓ ମୋଟୁ ସମେତ ପଡିଆ ବ୍ଲକର ଶିମିଳିବାଞ୍ଛା ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କୁ ଟଙ୍କା ଉଠାଣରେ ସୁବିଧା ଯୋଗାଇ ଆସୁଥିଲା । ବିଶେଷ କରି ଏହି ଛକ ଉପରେ ନିର୍ଭର କରୁଥିବା ବ୍ୟବସାୟୀ, ସରକାରୀ କର୍ମଚାରୀ, ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ଆଜକୁ ୫ ମାସ ହେବ ହଇରାଣ ହରକତ ହେଉଛନ୍ତି। ଭାରତୀୟ ଷ୍ଟେଟ ବ୍ୟାଙ୍କର ଏହି ଏଟିଏମ ଉପରେ ନାନା ଲୋକ ଭରସା କରୁଥିବା ବେଳେ ନାନା ଅବ୍ୟବସ୍ତା ଭିତରେ ରହିଛି । ଏଟିଏମ ରେ ଥିବା ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ,ଭିତରେ ଥିବା ଆଲୋକୀକରଣ ବ୍ୟବସ୍ତା ଖରାପ ହୋଇପଡ଼ିଛି। ସେପଟେ ବହୁ ଦିନରୁ ଏଟିଏମ ଟି ଖରାପ ହୋଇ ଥିବାରୁ ଗୃହ ଭିତରେ ଗାଈଗୋରୁ ମଧ୍ୟ ପଶି ଯାଉଛନ୍ତି । ଅତ୍ୟନ୍ତ ଜରୁରୀ ଆବଶ୍ୟକତା ସମୟରେ ଦୁରଦୂରାନ୍ତରୁ ଆସୁଥିବା ଗ୍ରାହକ ମାନେ ଏଟିଏମ୍ରୁ ଟଙ୍କା ନପାଇ ନିଜନିଜର ଜରୁରୀ କାର୍ଯ୍ୟ କରିବା ପାଇଁ ଆବଶ୍ୟକୀୟ ଅର୍ଥ ଧାର କରଜ କରୁଥିବା ବେଳେ ଆଉ କେତେକ ଲୋକ ଆବଶ୍ୟକୀୟ ଅର୍ଥ ଅଭାବରୁ ନିରାଶ ହୋଇ ଫେରୁଛନ୍ତି । ତେବେ ଗତ ପାଞ୍ଚ ମାସ ଧରି କୌଣଷି କାରଣରୁ ଏହି ଏଟିଏମ ଟି ଅଚଳ ହୋଇ ପଡିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବ ସହ ଏମଭି ୭୯, କାଲିମେଳା ଓ ବିଭିନ୍ନ ପଞ୍ଚାୟତରେ ରହିଥିବା ଗ୍ରାହକ ସେବା କେନ୍ଦ୍ର ଗୁଡିକରେ ଭିଡ ଲଗାଉଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ଗୁଡିକରେ ମହିଳା, ସ୍କୁଲ କଲେଜ ଛାତ୍ରଛାତ୍ରୀ ସମେତ ବୃଦ୍ଧ ଓ ବୃଦ୍ଧା ମାନେ ଟଙ୍କା ଉଠାଣ ପାଇଁ ଧାଡ଼ି ଲଗାଉଛନ୍ତି। ଏ ବିଷୟରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଦାୟିତ୍ୱହୀନ ଭାବେ ନିରବ ରହୁଥିବାରୁ ଏହି ବ୍ୟାଙ୍କର ଗ୍ରାହକ ମାନଙ୍କ ମଧ୍ୟରେ ବ୍ୟାଙ୍କ ପ୍ରତି ନକାରାତ୍ମକ ଭାବନା ବଢିବାରେ ଲାଗିଛି । ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଶୀଘ୍ର ଏଟିଏମ୍ ମରାମତି କରି ଗ୍ରାହକଙ୍କୁ ସେବା ଯୋଗାଇ ଦେବା ପାଇଁ ସବୁମହଲରେ ଦୃଢ ଦାବି କରାଯାଇଛି ।


