(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବୁଗୁଡା ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ସଂପ୍ରତି ବୁଗୁଡ଼ା ବନାଞ୍ଚଳରେ କାଠ ମାଫିଆଙ୍କ ସକ୍ରିୟତା ଏବଂ ବନ ବିଭାଗର ନିଷ୍କ୍ରିୟତାକୁ ନେଇ ସାଧାରଣରେ ସମାଲୋଚନା ହୋଇଆସୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ କାଠ ବୋଝେଇ ଏକ ଟ୍ରକକୁ ଜବତ ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ସ୍ଥାନୀୟ ବନ ବିଭାଗ ଓଆର୍ କେସ୍ ନଂ ୯୦/୨୪-୨୫ରେ ମାମଲା ରୁଜୁ କରିଥିବା ବେଳେ ଗିରଫ ଅଭିଯୁକ୍ତ ଦ୍ବୟ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଗ୍ରାମର ଜିତେନ୍ଦ୍ର ମହାନ୍ତି ଓ ସନ୍ତୋଷ ଗୌଡ ବୋଲି ଜଣାଯାଇଛି । ପ୍ରକାଶ ଯେ , ସ୍ଥାନୀୟ କାଠ ମାଫିଆଙ୍କ ସହାୟତାରେ ବୁଗୁଡା ବନାଞ୍ଚଳରୁ ବ୍ଯାପକ କାଠ ଚୋରା ଚାଲାଣ ହୋଇଆସୁଥିଲା ବେଳେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ମୋଟାବାଡି ଗାଁ ଛକରେ କାଠ ବୋଝେଇ ଦଶ ଚକିଆ ଏକ ଟ୍ରକ(ନଂ-ଏପି ୧୬ ଟି ଡବ୍ଲ୍ୟୁ - ୬୭୯୧)କୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଗିରଫ କରାଯାଇଥିଲା । ଜବତ ଟ୍ରକରେ ୨ ଲକ୍ଷ ଟଙ୍କାର ସାହାଜ , ନିମ୍ବ , ମୋହି , ଆକାଶିଆ ଓ ୟୁକାଲିପଟାସ୍ ଆଦି କାଠ ବୋଝେଇ ହୋଇଥିଲା । ଗିରଫ କାଠ ଚୋର ଦୁଇ ଜଣଙ୍କୁ ଆଜି ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନେ ଏହି ଅଞ୍ଚଳର କେଉଁ ମାଫିଆଙ୍କ ସହଯୋଗରେ ଏଭଳି କାଠ ଚୋରା ଚାଲାଣ କରୁଥିଲେ ତାହାର ପର୍ଦ୍ଦାଫାସ ହୋଇପାରି ନଥିବାରୁ ସ୍ଥାନୀୟ ବନ ବିଭାଗର କର୍ତ୍ତବ୍ୟନିଷ୍ଠା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଜଣାଯାଇଛି ।