ଗଜପତି ମୋ ନିୟୁଜ ଓଡିଶା (୨୯/୬/୨୦୨୪):ଆଗାମୀ ଜୁଲାଇ ୭ ତାରିଖରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ରଥଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏଥି ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଓ ଗୁଣ୍ଡିଚାବାଡିରେ ଉନ୍ନତି ପାଇଁ ଦୃତଗତିରେ କାର୍ଯ୍ୟ ଚାଲିଛି । କିନ୍ତୁ ଗୁଣ୍ଡିଚାବାଡିରେ ମୀନାବଜାର ପାଇଁ ସ୍ଥାନ ଅଭାବରୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ପାଚେରୀ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତାକୁ ନେଇ ପ୍ରତିବାଦର ସ୍ବର ବଢିବାରେ ଲାଗିଛି । ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର, ପୁରାତନ ଛାତ୍ର ଓ ସ୍ଥାନୀୟ ବାସିନ୍ଦା ତୀବ୍ର ବିରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ପାଚେରୀ ଭାଙ୍ଗିବା ବିଜ୍ଞପ୍ତି ଲଗାଯିବା ସହ ଶ୍ରମିକମାନେ ଭାଙ୍ଗିବାପାଇଁ ପ୍ରସ୍ତୁତ ହେଉଥିଲେ । ଏହା ଦେଖି କିଛି ପୂର୍ବତନ ଛାତ୍ର ଓ ସ୍ଥାନୀୟ ବାସିନ୍ଦା ବିରୋଧ କରିଥିଲେ । ତାପରେ ଏହି ଅସନ୍ତୋଷର ନିଆଁ ମହାବିଦ୍ୟାଳୟ ପରିସରରେ ଖେଳିଯାଇଥିଲା । ମହାବିଦ୍ୟାଳୟର ଛାତ୍ରମାନଙ୍କ ସମେତ ବିଭିନ୍ନ ଛାତ୍ର ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଶାସନର ପାଚେରୀ ଭଙ୍ଗା ନିଷ୍ପତ୍ତିକୁ ବିରୋଧ କରି ବିଜ୍ଞପ୍ତି ଲଗାଯାଇଥିବା ସ୍ଥାନରେ ପହଞ୍ଚି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ମୀନାବଜାର ପାଇଁ ପାଚେରୀ ଭାଙ୍ଗିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିବା ସହ ସେଠାରେ ପ୍ରତିବାଦ ଲେଖାଥିବା ଏକ ଫ୍ଲେକ୍ସ ଲଗାଇଥିଲେ । ଅଭିଯୋଗ ହୋଇଛିଯେ ଆଜି ପର୍ଯ୍ୟନ୍ତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଜାଗାକୁ ବହୁ ଲୋକ ଜବରଦଖଲ କରି ନେଇଛନ୍ତି । ବର୍ତ୍ତମାନ ପୁଣିଥରେ ମୀନା ବଜାର ନାମରେ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ପୁଣି ଜବର ଦଖଲକାରୀଙ୍କୁ ପ୍ରୋତ୍ସାହିତ କରିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ପାରଳାଖେମୁଣ୍ଡି ରଥଯାତ୍ରା ଚଳିତ ବର୍ଷ ପ୍ରଥମକରି ହେଉ ନାହିଁ । ଏହା ପାରଳା ରାଜବଂଶୀୟଙ୍କ ଦ୍ବାରା ବହୁ ପୂର୍ବରୁ ପାଳନ କରାଯାଉଛି । ତେବେ ଗୁଣ୍ଡିଚାବାଡିର ଯେତିକି ପରିଧୂ ରହିଛ ସେତିକିରେ ହିଁ ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ କେଉଁ କାରଣ ଏବଂ କାହା ସ୍ବାର୍ଥ ପାଇଁ ମହାବିଦ୍ୟାଳୟର ପାଚେରୀ ଭାଙ୍ଗିବାପାଇଁ ଜିଲ୍ଲା ପ୍ରଶାସନ ଓ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, ପାରଳାଖେମୁଣ୍ଡି ରଥଯାତ୍ରା କମିଟି କୌଣସି ପଞ୍ଜିକୃତ ସଂଗଠନ ନୁହେଁ । ଉଭୟ ଜଗନ୍ନାଥ ମନ୍ଦିର ଓ ଗୁଣ୍ଡିଚାବାଡିର ମାଲିକାନାସ୍ବତ୍ତ୍ବ ପାରଳା ରାଜ ପରିବାର ନାମରେ ରହିଛି । ତେବେ କେଉଁ ଆଇନ ଅନୁଯାୟୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଯାତ୍ରାର ମୀନା ବଜାର ଟେଣ୍ଡର କରାଯାଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ଜିଲ୍ଲା ପ୍ରଶାସନର ପରିସର ବାହାରର କାର୍ଯ୍ୟକୁ କିଭଳି ଓ କାହା ସ୍ବାର୍ଥରେ କରିବାକୁ ଆଗ୍ରହ ଦେଖାଉଛି ତାହାର ସୃଷ୍ଟୀକରଣ ଦେବାର ଆବଶ୍ୟକ ରହିଛି ବୋଲି ପୁରାତନଛାତ୍ର ତଥା ସହରବାସୀ ଦାବି କରିଛନ୍ତି । ଅପରପକ୍ଷ ବିଷୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜିତେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପଚାରିବାରୁ ଜିଲ୍ଲା ପ୍ରଶାସନ ତରଫରୁ କାନ୍ଥ ଭାଙ୍ଗିବାକୁ ନେଇ ଚିଠି ଆସିଥିଲା । କିନ୍ତୁ ଏହାର ଅନୁମତି ଦେବାର ଅଧୂକାର ମୋର ପରିସରଭୁକ୍ତ ନୁହଁ । ତାହା ଉଚ୍ଚ ଶିକ୍ଷାସଚିବଙ୍କ ପରିସରଭୁକ୍ତ ଅଟେ । ଏ ବିଷୟରେ ସେ ଉଚ୍ଚ ଶିକ୍ଷା ସଚିବଙ୍କୁ ଅବଗତ କରିଛି ବୋଲି କହିଥିଲେ । ଗଜପତି ଜିଲାରୁ ମନୋଜ କୁମାର ପାଢୀ