ଗଜପତି ମୋ ନିୟୁଜ ଓଡିଶା (୨/୬/୨୦୨୪): ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଲୁଟେରାଙ୍କ ଆତଙ୍କ ଦେଖାଦେଇଛି. ସ୍ପଷ୍ଟ ଦିବା ଲୋକରେ ଜବରଦସ୍ତ ଘରେ ପ୍ରବେଶ କରି ଘର ମାଲିକଙ୍କ ପୁଅର ବେକରେ ଭୁଜାଲି ରଖି ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ସହ ସୁନା ଗହଣା ଲୁଟି ନେଇଥିବା ସୂଚନା ମିଳିଛି. ଘଟଣା ଘଟିବା ପରେ ପୋଲିସରେ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି.ଦୁର୍ବୃତ୍ତଙ୍କ ପତ୍ତା ମିଳୁନି । ଘଟଣାରୁ ପ୍ରକାଶ, ସହରର ମଜ୍ଜାତୋଟାମ୍ମା ମନ୍ଦିର ଅଞ୍ଚଳର ବିଶ୍ବନାଥ ନଗରରେ ଦୁର୍ବୃତ୍ତମାନେ ଡେରାପକାଇ ବସିଥିବା ଆଲୋଚନା ହେଉଛି। ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଛି । କିଛି ଦିନ ପୂର୍ବେ ଦୁର୍ବୃତ୍ତ ସ୍କୁଟି ଡିକି ତାଡି ୮୦ ହଜାର ଟଙ୍କା ଲୁଟି ନେଇଥିବା ବେଳେ ଗତକାଲି ଗୁରୁବାର ସକାଳ ପ୍ରାୟ ୧୦ଘଣ୍ଟା ସମୟରେ ବାରିପଟରୁ ୪ ଜଣ ଲୁଟେରା ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଘରେ ପଶି ତାଙ୍କ ଶିଶୁ ପୁତ୍ରର ବେକରେ ଭୁଜାଲି ରଖି ତିନି ଲକ୍ଷ ଟଙ୍କା ସହ ପ୍ରାୟ ୪ ତୋଳା ସୁନା ଗହଣା ନେଇ ପଳାଇଥିବା ଘଟଣା ସାମନାକୁ ଆସିଛି। ଘଟଣାରୁ ପ୍ରକାଶ ଯେ, ରାଜସ୍ବ ବିଭାଗରେ କାର୍ଯ୍ୟରତ ଶ୍ୟାମସୁନ୍ଦର କାର୍ଯ୍ୟାଳୟକୁ ଚାଲିଯିବା ପରେ ପତ୍ନୀ ସସ୍ମିତା ଓ ୧୧ ବର୍ଷିୟ ଶିଶୁପୁତ୍ର ଘରେ ଥିଲେ। ଦୁର୍ବୃତ୍ତ ବାଡି ଅଗଣାରେ ଥିବା କବାଟ ଠେଲି ଘରଭିତରକୁ ପ୍ରବେଶ କରିଥିଲେ । ସେହି ସମୟରେ ସସ୍ମିତା ଆଲମିରା ବାହାର କରୁଥିଲେ ଏବଂ ତାଙ୍କ ପୁତ୍ର ଟିଭି ଦେଖୁଥିଲେ। ଏହି ସମୟରେ ଜଣେ ଦୁର୍ବୃତ୍ତ ଶିଶୁପୁତ୍ରର ତଣ୍ଟିରେ ଭୁଜାଲି ରଖୁଥିଲେ। ଏଥିରେ ଉଭୟେ ହତବାକ ହୋଇ ପଡ଼ିଥିଲେ। ଏପରିକି ପାଟି ମଧ୍ୟ କରିପାରି ନ ଥିଲେ। ମୁହଁରେ ମାସ୍କ ପରିଧାନ କରିଥିବା ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଶିଶୁପୁତ୍ରକୁ ଧରିଥିବା ବେଳେ ଅନ୍ୟ ୩ ଜଣ ଆଲମିରା ବାହାର କରି ନଗଦ ୩ ଲକ୍ଷ ଟଙ୍କା ଏବଂ ପ୍ରାୟ ୪ ତୋଳାର ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ | ପାଞ୍ଚମିନିଟ ମଧ୍ୟରେ ଏହି ଘଟଣା ଘଟିଥିଲା | ଯିବାବେଳେ ଘର ସାରା ପାଣି ପକାଇଦେଇ ଚାଲିଯାଇଥିଲେ ଦୁର୍ବୃତ୍ତା ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ମାଧବାନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସଦଳେବଳେ ପହଞ୍ଚି ତଦନ୍ତ କରିଥିଲେ । ଏହାପରେ ଡଗ୍ ସ୍କାର୍ଡ ଆଦି ପହଞ୍ଚି ତଦନ୍ତ ମଧ୍ୟ କରାଯାଇଥିଲା | ଏସମ୍ପର୍କରେ ବିଶ୍ଵନାଥନଗର ଅଞ୍ଚଳରେ ଦୁଇ ଅଜଣା ଯୁବକଙ୍କୁ ପୋଲିସ ଧରି ପଚରାଉଚରା କରୁଥିବା ଜଣାପଡ଼ିଛି।
Tags:
ଅପରାଧ