ବ୍ରହ୍ମପୁର ବୁଡୁଛି ବର୍ଷାରେ ନୁହେଁ, ଅବହେଳାରେ! ବାହାନା ନାଳ ହେଉଛି ମୁଖ୍ୟ କାରଣ : ସହର ତଳି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର


 *(ଦକ୍ଷିଣ ଓଡିଶା ବୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )* 

ବ୍ରହ୍ମପୁର : ବ୍ରହ୍ମପୁରକୁ ସିଲ୍କ ସିଟି ଓ ସ୍ମାର୍ଟ ସିଟି କୁହାଯାଉଛି, କିନ୍ତୁ ସାମାନ୍ୟ ବର୍ଷା ହେଲେ ସହରର ଚେହେରା ବଦଳି ଯାଉଛି। ଗତ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ଲଗାତାର ବର୍ଷାରେ ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା। ବ୍ରହ୍ମପୁରର ନୀଳାଞ୍ଚଳ ନଗର, ଗଜପତି ନଗର, ଶ୍ରୀରାମ ନଗର, ଗାନ୍ଧୀନଗର, ଆସ୍କା ରୋଡ୍, ନିଳାଦ୍ରୀ ବିହାର ଭଳି ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିଲା। ପ୍ରତିବର୍ଷ ବର୍ଷା ଦିନେ ବ୍ରହ୍ମପୁର ଜଳମଗ୍ନ ହେଉଛି। ଏହାକୁ ପ୍ରାକୃତିକ ବିପର୍ଯ୍ୟୟ କୁହାଯାଉଛି, କିନ୍ତୁ ସତ ହେଉଛି ଏହା ସମ୍ପୂର୍ଣ୍ଣ ମନୁଷ୍ୟକୃତ କୁତ୍ରିମ ବନ୍ୟା। ଏହାର ମୂଖ୍ୟ କାରଣ ହେଉଛି ପ୍ରାକୃତିକ ଜଳ ନିଷ୍କାସନ ନାଳ ଗୁଡିକର ଜବରଦଖଲ। ବିଶେଷକରି ବାହାନା ନାଳ ବର୍ଷ ବର୍ଷ ଧରି ଜବରଦଖଲ ଓ ସଙ୍କୁଚିତ ହେବା ଫଳରେ ଏହାର ପାଣି ବହନ କ୍ଷମତା ବହୁତ କମିଯାଇଛି।ଯେତେବେଳେ ବ୍ରହ୍ମପୁର ଛୋଟ ସହର ଥିଲା ବାହାନା ନାଳ ବହୁତ ଚଉଡା ଥିଲା, କିନ୍ତୁ ଦ୍ରୁତ ସହରୀକରଣ ହେତୁ ପାଣି ଅଧିକ ଆସୁଛି ଓ ନାଳ ଛୋଟ ହେଉଛି। ଏ ପରିପ୍ରେକ୍ଷୀରେ ଆଜି ସହରତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସଭାପତି ସଞ୍ଜେବ କୁମାର ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଏହାର ଏକକିତା ନକଲ ଗୃହ ଓ ନଗର ଉନ୍ନୟନ ବିଭାଗ, ପ୍ରମୁଖ ସଚିବ ଗୃହ ଓ ନଗର ଉନ୍ନୟନ ବିଭାଗ, ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଅବଗତି ନିମନ୍ତେ ପ୍ରଦାନ କରାଯାଇଚି। ଦାବୀ ପତ୍ରରେ ଦର୍ଶାଯାଇଛି ଯେ ବ୍ରହ୍ମପୁରର ମୁଖ୍ୟ ଡ୍ରେନ୍ ବାହାନା ନାଳ, ଯାହା ଫାଷ୍ଟ ଗେଟ୍ ଠାରୁ ଗୋପାଳପୁର ଜଙ୍କସନ ପର୍ଯ୍ୟନ୍ତ ୧୪ କି.ମି. ଲମ୍ବା। ଏହି ନାଳ ସହରର ୭୦% ବର୍ଷା ପାଣି ବୋହି ନେଉଛି। କିନ୍ତୁ ଆଜି ଉଭୟ ପାର୍ଶ୍ୱରେ ଏତେ ଜବରଦଖଲ ହୋଇଛି ଯେ ଡ୍ରେନେଜ ବିଭାଗ ୫୦% ନାଳ ପାଖକୁ ଯାଇ ପାରୁନାହିଁ। JCB ମେସିନ୍ ପଶିପାରୁନି। ତେଣୁ ବର୍ଷ ବର୍ଷ ଧରି ଯେଉଁ ଡି-ସିଲ୍ଟିଂ ଦେଖାଯାଉଛି ତାହା କେବଳ ଲୋକ ଦେଖାଣିଆ, ଆଖି ଠାଉରିଆ। ଫଳରେ ୧୫ ଦିନରେ ମାଟି ଅତଡା ଖସି ପୁଣି ନାଳ ପୋତି ହୋଇଯାଉଛି। ସବୁଠୁ ବଡ ଦୁଃଖର କଥା, ଏହି ୧୪ କି.ମି. ନାଳ ଆଜି ପର୍ଯ୍ୟନ୍ତ କାହାର? ବିଏମସିର ନୁହେଁ, ବିଡିଏ ର ନୁହେଁ, ଜଳସମ୍ପଦ ବିଭାଗର ନୁହେଁ।ଅନାଥ ହୋଇ ପଡିଛି। ବ୍ରହ୍ମପୁରରେ ଜନ ଆନ୍ଦୋଳନ ନାହିଁ, ଲୋକ ପ୍ରତିନିଧିଙ୍କ ପାଟିରେ ସ୍ୱର ନାହିଁ। ତେଣୁ ସରକାର ଶୁଣୁନାହାଁନ୍ତି ବୋଲି ଲୋକେ ବିଶ୍ୱାସ କରୁଛନ୍ତି। କାରଣ ବ୍ରହ୍ମପୁର ଇତିହାସ କହୁଛି ଇତିହାସ କହୁଛି - ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଏମକେସିଜି ମେଡିକାଲ ଓ ଆଇଜର କେବଳ ଜନ ଆନ୍ଦୋଳନ ଯୋଗୁଁ ହୋଇଛି। ସୁତରାଂ ସରକାର ଯଦି ଏହାର ସ୍ଥାୟୀ ସମାଧାନ ଚାହୁଁଛନ୍ତି ତାହାହେଲେ କମିଟି ଦାବି କରୁଛି - ବାର୍ଷିକ ଡି-ସିଲ୍ଟିଂ ବନ୍ଦ କରି ଉଭୟ ପାର୍ଶ୍ୱରେ କଂକ୍ରିଟ୍ ସୁରକ୍ଷା କାନ୍ଥ ନିର୍ମାଣ କରାଯାଉ।ଏହାଦ୍ୱାରା ୪ଟି ବଡ ଲାଭ ହେବ ପ୍ରଥମତଃ. ବନ୍ୟା ମୁକ୍ତ ବ୍ରହ୍ମପୁର ଗଠନ ସମ୍ଭବ ହେଇପାରିବ।ନୀଳାଞ୍ଚଳ ନଗର, ଗଜପତି ନଗର ସମେତ ୧୫ଟି ୱାର୍ଡ ବର୍ଷାରେ ବୁଡିବନି।

 ଦ୍ଵିତୀୟରେ ମଶା ଓ ମ୍ୟାଲେରିଆ ମୁକ୍ତ ଅଞ୍ଚଳ ହେଵ।ଆଜି ଏହି ୧୪ କି.ମି. ନାଳ ହେଉଛି ମଶା ଜନ୍ମ କେନ୍ଦ୍ର। ପାଣି ପ୍ରବାହ ମୁକ୍ତ ହେଲେ ମ୍ୟାଲେରିଆ, ଡେଙ୍ଗୁ ଶେଷ ହେବ। ମଶା ମାରିବା ପାଇଁ ଖର୍ଚ ହେଉଥିବା କୋଟି କୋଟି ଟଙ୍କା ବଞ୍ଚିବ। ତୃତୀୟରେ ବହୁତ କମ୍ ଖର୍ଚରେ ୧୪ କି.ମି. ରାସ୍ତା ହେଇ ପାରିବ।କଂକ୍ରିଟ୍ କାନ୍ଥ ଉପରେ ଉଭୟ ପାର୍ଶ୍ୱରେ ରାସ୍ତା କଲେ ଜମି ଅଧିଗ୍ରହଣ ଦରକାର ନାହିଁ। ଏହା ବ୍ରହ୍ମପୁର ପାଇଁ ଭିତର ରିଙ୍ଗ ରୋଡ୍ ହେବ ଓ ସହରର ୬୦% ଟ୍ରାଫିକ୍ ଜାମ୍ କମିବ। ଚତୁର୍ଥରେ ପ୍ରକୃତ ବୃହତ୍ତର ବ୍ରହ୍ମପୁର ପୁରୁଣା ସହର ଓ ୧୪ଟି ନୂଆ ପଞ୍ଚାୟତ ଏହି ରାସ୍ତା ଦ୍ୱାରା ଯୋଡି ହେବ। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ - ବାହାନା ନାଳକୁ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ଘୋଷଣା କରି ତୁରନ୍ତ ଯୁଗ୍ମ ସର୍ଭେ ଓ ଜବରଦଖଲ ଉଚ୍ଛେଦ କରାଯାଉ। ନଚେତ୍ ବ୍ରହ୍ମପୁର ଓ ସହରତଳି ବାସୀ ଗଣମାଧ୍ୟମ ବନ୍ଧୁଙ୍କ ସହଯୋଗରେ ଶାନ୍ତିପୂର୍ଣ୍ଣ ଜନ ଆନ୍ଦୋଳନକୁ ବାଧ୍ୟ ହେବେ।

Post a Comment

Previous Post Next Post