ଖଳା ନିର୍ମାଣ ସରିଲା, ବିଭାଗୀୟ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ ସତ୍ତ୍ୱେ ମିଳୁନି ବକେୟା ବିଲ୍


 ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ମାଳ ବେଲପଡ଼ା ଗାଁରେ ଖଳା ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏହାର ବକେୟା ଅର୍ଥ ମିଳୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଖଳା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୭,୩୨,୦୦୦ ଟଙ୍କା ମଞ୍ଜୁର ହୋଇଥିଲା। କାମ ଆରମ୍ଭ ହୋଇ ଏବେ ସମ୍ପୂର୍ଣ୍ଣ ହୋଇସାରିଛି। ଖଳା ନିର୍ମାଣ କାର୍ଯ୍ୟରେ ଗାଁ ଲୋକମାନେ ମଧ୍ୟ ନିଜେ ସହଯୋଗ ଦେଇଥିବା ଜଣାପଡ଼ିଛି। ତେବେ ନିର୍ମାଣ କାର୍ଯ୍ୟ ସରିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ ହୋଇନଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ତଥ୍ୟ ଅନୁଯାୟୀ, ୪,୯୯,୦୦୦ ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ୨,୩୩,୦୦୦ ଟଙ୍କାର ପେଣ୍ଡିଂ ବିଲ୍ ଏଯାବତ୍ ମିଳିନାହିଁ। ତେବେ ମଞ୍ଜୁରୀ ରାଶି ଓ ପ୍ରଦାନ ହୋଇଥିବା ରାଶି ମଧ୍ୟରେ ଥିବା ଏହି ହିସାବକୁ ନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ ବୋଲି ଗ୍ରାମବାସୀ କହିଛନ୍ତି। ବକେୟା ଅର୍ଥ ପାଇଁ ଗ୍ରାମବାସୀମାନେ ବହୁବାର ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଟଙ୍କା ମିଳିନଥିବା ଅଭିଯୋଗ କରିଛନ୍ତି। ଫଳରେ ନିର୍ମାଣ କାର୍ଯ୍ୟ ସରିବା ପରେ ମଧ୍ୟ ବିଲ୍ ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ସରକାରୀ ଅର୍ଥ ମଞ୍ଜୁର ହୋଇ କାମ ସମ୍ପୂର୍ଣ୍ଣ ହୋଇଥିବା ସତ୍ତ୍ୱେ ବକେୟା ବିଲ୍ କାହିଁକି ଅଟକିଛି? ଏହାର ପ୍ରକୃତ କାରଣ କ’ଣ? ଏନେଇ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଏହି ଘଟଣାରେ ସମ୍ପୃକ୍ତ ବିଭାଗ ତୁରନ୍ତ ତଦନ୍ତ କରି ବକେୟା ଅର୍ଥ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନି ।

Post a Comment

Previous Post Next Post