ପଲିଥିନ ତଳେ ଚାଲିଛି ରୋଗୀ ସେବା ଭଙ୍ଗା ଆଜବେଷ୍ଟ ଘରେ ତାଳସର ଆୟୁର୍ବେଦିକ ଚିକିତ୍ସାଳୟ

 


କୋଦଳା 

“ସ୍ୱାସ୍ଥ୍ୟ ହିଁ ସମ୍ପଦ”। ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତାଳସର ଅଞ୍ଚଳରେ ଏହାର ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି।ତାଳସରଠାରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟଟି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୯୬୨ ମସିହାରୁ ଅଞ୍ଚଳବାସୀଙ୍କୁ ସେବା ଯୋଗାଇ ଆସୁଛି। ହେଲେ ଦୀର୍ଘବର୍ଷ ପରେ ମଧ୍ୟ ଏଠାରେ ଏକ ସ୍ଥାୟୀ ଚିକିତ୍ସାଳୟ କୋଠା ନିର୍ମାଣ ହୋଇପାରିନଥିବାରୁ ଭଙ୍ଗା ଆଜବେଷ୍ଟ ଘର ଓ ପଲିଥିନ ତଳେ ରୋଗୀ ସେବା ଚାଲିଥିବା ଅଭିଯୋଗ ହୋଇଛି।

ବର୍ଷା ହେଲେ ଆଜବେଷ୍ଟ ରୁ ପାଣି ଗଳୁଥିବାରୁ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ସୁରକ୍ଷିତ ଭାବେ ରଖିବାରେ ସମସ୍ୟା ହେଉଥିବା କାର୍ଯ୍ୟରତ ଚିକିତ୍ସାଧିକାରୀ କହିଛନ୍ତି। ଏହି ଚିକିତ୍ସାଳୟ ଉପରେ ଆଖପାଖ ୫ଟି ପଞ୍ଚାୟତର ପ୍ରାୟ ୨୫ଟି ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଜଣେ ଡାକ୍ତର, ଜଣେ ଆୟୁର୍ବେଦିକ ସହାୟକ ଓ ଅନ୍ୟ ଦୁଇଜଣ କର୍ମଚାରୀଙ୍କୁ ନେଇ ସେବା ଚାଲିଛି।

ଅନ୍ୟପକ୍ଷରେ ଡାକ୍ତରଙ୍କ କ୍ୱାର୍ଟର ମଧ୍ୟ ଦୀର୍ଘଦିନ ଧରି ଅବ୍ୟବହୃତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାରୁ ରାତି ସମୟରେ କର୍ମଚାରୀଙ୍କ ରହିବା ସୁବିଧା ନଥିବା କୁହାଯାଉଛି। ଆବଶ୍ୟକୀୟ ସ୍ୱାସ୍ଥ୍ୟ ଉପକରଣ ଅଭାବ ମଧ୍ୟ ଚିକିତ୍ସାସେବାକୁ ପ୍ରଭାବିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ତାଳସର ଆୟୁର୍ବେଦିକ ଚିକିତ୍ସାଳୟ ପାଇଁ ନୂତନ କୋଠା, ଡାକ୍ତରଙ୍କ କ୍ୱାର୍ଟର ନିର୍ମାଣ ଓ ଆବଶ୍ୟକୀୟ ଉପକରଣ ଯୋଗାଣ କରି ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Post a Comment

Previous Post Next Post