ପୁରୁଷୋତ୍ତମପୁର-୧୪/୯ ପୁରୁଷୋତ୍ତମପୁର ଥାନା ଅଧୀନସ୍ଥ ଭେଜିପୁଟ ଛକରେ ଆଇ ଆଇ ସି କୁଳମଣି ସେଠୀ ଓ ତାଙ୍କ ଷ୍ଟାଫ୍ଙ୍କ ସହ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ଭେଜିପୁଟ ଛକରେ ଏକ ପ୍ଲାଷ୍ଟିକ ବ୍ୟାଗ୍ ସହ ବସିଥିବା ଦେଖିବାକୁ ମିଳିଥିଲା। ଉକ୍ତ ପ୍ଲାଷ୍ଟିକ ବ୍ୟାଗ୍ରୁ ଗଞ୍ଜେଇର ଗନ୍ଧ ବାହାରୁଥିବାରୁ ସନ୍ଦେହ ଘନୀଭୂତ ହୋଇଥିଲା ଓ ତାଙ୍କୁ ପଚରାଉଚରା କରାଯାଇଥିଲା।ପଚରାଉଚରା ବେଳେ ସେ ନିଜର ନାମ ରମେଶ ପ୍ରଧାନ ଏବଂ ଘର ରେଙ୍ଗିଟିପଲ୍ଲୀ ବୋଲି କହିଥିଲେ। ସେ ନିଜ ଗ୍ରାମର ରବି ପ୍ରଧାନଙ୍କ ସହ ମିଶି ଆର୍ଥିକ ଲାଭ ପାଇଁ ଉକ୍ତ ଗଞ୍ଜେଇକୁ ଗୁଜରାଟର ସୁରତକୁ ପଠାଇବା ପାଇଁ ଯୋଜନା କରିଥିଲେ।
ଏହାପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ମୋଟ ୨୯ କିଲୋ ୯୦୦ ଗ୍ରାମ ଅବୈଧ ଗଞ୍ଜେଇ ରମେଶଙ୍କ ଠାରୁ ଜବତ କରିଥିଲେ l ଏଥିସହ ୨ଟି ମୋବାଇଲ ଫୋନ ମଧ୍ୟ ଜବତ ହୋଇଛି।
ଏହି ଘଟଣାକୁ ନେଇ ପୁରୁଷୋତ୍ତମପୁର ଥାନା କେସ୍ ନଂ-୬୨୫, ତାରିଖ ୧୩.୦୯.୨୦୨୬ରେ ଏନ୍ଡିପିଏସ୍ ଆକ୍ଟର ଧାରା ୨୦(ବି)(ii)(C)/୨୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଥାନା ଏସ୍ଆଇ ଡି.ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ ରମେଶ ପ୍ରଧାନ ଓ ରବି ପ୍ରଧାନଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି l

