ବଡ଼ଗଡ଼ ୧୩/୦୯/୨୦୨୬ : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଢଉପଦା ଗ୍ରାମରେ ଆଜି ସକାଳ ପ୍ରାୟ ୧୦ଟା ସମୟରେ ଘଟିଛି ଏକ ମର୍ମାନ୍ତୁଦ ସଡ଼କ ଦୁର୍ଘଟଣା। ବାହୁବଳୀ ନାମକ ଏକ ଘରୋଇ ବସ୍ ଧକ୍କାରେ ୫ ବର୍ଷୀୟ ଶିଶୁ କନ୍ୟା କଳ୍ପନା ନାଇକଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁଙ୍କ ବାପାଙ୍କ ନାମ କାଳିଆ ନାଇକ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ବାହୁବଳୀ ନାମକ ଘରୋଇ ବସ୍ଟି ବ୍ରହ୍ମପୁରରୁ ବାଲିଗୁଡ଼ା ଅଭିମୁଖେ ନିୟମିତ ଭାବେ ଏହି ରାସ୍ତା ଦେଇ ଯାତାୟାତ କରିଥାଏ। ଆଜି ବସ୍ଟି ବିଳମ୍ବରେ ଚାଲୁଥିବାରୁ ଦ୍ରୁତ ଗତିରେ ଯାଉଥିବା ସମୟରେ ରାସ୍ତାକଡ଼ରେ ଥିବା ଶିଶୁଟିକୁ ଦେଖି ଚାଳକ ଭାରସାମ୍ୟ ହରାଇଥିବା ଅଭିଯୋଗ ହୋଇଛି। ଫଳରେ ବସ୍ଟି ରାସ୍ତା ବାହାରକୁ ଯାଇ ଶିଶୁଟିକୁ ଧକ୍କା ଦେଇଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ଶିଶୁଟିର ମୃତ୍ୟୁ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାରୋକ କରିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଏହି ସମୟରେ କୌଣସି ସରକାରୀ କାର୍ଯ୍ୟରେ ସେହି ରାସ୍ତା ଦେଇ ଯାଉଥିବା ଆସିକା ଏସ୍ଡିପିଓ ସୌରଭ ପ୍ରଧାନ ରାସ୍ତା ଅବରୋଧ ଯୋଗୁଁ ଘଟଣାସ୍ଥଳ ନିକଟରେ ଅଟକିଥିଲେ। ସେ ପରିସ୍ଥିତି ବୁଝିବା ସହ ନିକଟସ୍ଥ ଥାନାଗୁଡ଼ିକର ଅଧିକାରୀ ଏବଂ ସ୍ଥାନୀୟ ତହସିଲଦାରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ଘଟଣାସ୍ଥଳକୁ ଆସିବା ପାଇଁ କହିଥିଲେ।
ପରେ ଘଟଣାସ୍ଥଳରେ ବଡ଼ଗଡ଼ ଥାନା ଏଏସ୍ଆଇ ରାଜେଶ୍ୱର ମଲ୍ଲିକ, ଧରାକୋଟ ଥାନା ଅଧିକାରୀଣୀ ଚନ୍ଦ୍ରିକା ସ୍ୱାଇଁ, ସୋରଡ଼ା ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଏବଂ ତହସିଲଦାର ଲମ୍ବୋଦର ମାରାଣ୍ଡି ପହଞ୍ଚିଥିଲେ। ଅଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ।
ଏହି ସମୟରେ ତହସିଲଦାର ପୀଡ଼ିତ ପରିବାରକୁ ସରକାରଙ୍କ ରେଡକ୍ରସ୍ ପାଣ୍ଠିରୁ ୩୦ ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କରିଥିଲେ। ଏଥିସହ ସରକାରୀ ନିୟମ ଅନୁଯାୟୀ ଆଗାମୀ ଦିନରେ ପରିବାରକୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ହଟାଇଥିଲେ।
ବଡ଼ଗଡ଼ ଥାନା ଏଏସ୍ଆଇ ରାଜେଶ୍ୱର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ମୃତ ଶିଶୁଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବାହୁବଳୀ ବସ୍ର ଚାଳକ ନିଜେ ବଡ଼ଗଡ଼ ଥାନା ସମ୍ମୁଖରେ ବସ୍ଟିକୁ ରଖି ଥାନାରେ ଆତ୍ମସମର୍ପଣ କରିଥିବା ଥାନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘଟଣାକୁ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ୍ ପକ୍ଷରୁ ମାମଲା ୠଜୁକରି କେସ ନମ୍ବର ୩୯୯/୨୦୧୬ ର ଧାରା ୨୮୧,୧୦୬ ବିଏନଏସ ଅନୁସାରେ ଚାଳକକୁ ହାଜତରେ ରଖି ତଦନ୍ତ ଜାରି ରହିଛି।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା

