ସ୍ବତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ

 


ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦେବା ପାଇଁ ରାଜନୈତିକ ଦଳଙ୍କୁ ଅନୁରୋଧ 

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ଛତ୍ରପୁର  : ସାରା ରାଜ୍ଯରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ଲାଗୁ କରାଯାଇଅଛି  । ଗଞ୍ଜାମ ଜିଲ୍ଲାରେ ହେବାକୁ ଯାଉଥିବା ଏସଆଇଆର-୨୦୨୬ ସମ୍ପର୍କରେ  ଆଲୋଚନା ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଏସ. ଆଇ.ଆର ର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଯୋଗ୍ଯ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ଯ ବ୍ଯକ୍ତିଙ୍କ ନାମ ତାଲିକାରୁ ବାଦ ଦେବା । ଏଥିରୁ ମୃତ ବ୍ଯକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯିବ । ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ  ।       

ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇଥିଲେ। ନୂଆ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । ଏହା ସହ ବୁଥ୍ ସ୍ତରୀୟ ଏଜେଣ୍ଟଙ୍କ ତାଲିକା ପ୍ରଦାନ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ଅନୁରୋଧ କରାଯାଇଛି  ।  ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇ.ଆର୍.ଓ) ମାନଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ସେମାନଙ୍କୁ ଅନୁରୋଧ କରାଯାଇଥିଲା  । ଜିଲ୍ଲାରେ ଜୁଲାଇ ୧ ତାରିଖକୁ ଯୋଗ୍ଯତା ତାରିଖ ଭାବେ ଧାର୍ଯ୍ଯ କରାଯାଇଛି  ।  ୨୦ ମେ ରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ। ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ। ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବାକୁ ଥିବାବେଳେ, ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ I ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ଯେ, ବୁଥ ସ୍ତରୀୟ ଅଧିକାରୀ, ବୁଥ ସ୍ତରୀୟ ଏଜେଣ୍ଟ ଓ ସମସ୍ତ ରାଜନୈତିକ ଦଳର ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ I ଜିଲ୍ଲା ପ୍ରଶାସନ ପକ୍ଷରୁ ମତଦାତାମାନଙ୍କୁ ନିଜ ନାମ ଭୋଟର ତାଲିକାରେ ସଠିକ୍ ଭାବେ ରହିଛି କି ନାହିଁ ଯାଞ୍ଚ କରିବା ସହ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଅଧିକ ସୂଚନା ପାଇଁ ଭୋଟରମାନେvoters.eci.gov.in କିମ୍ବା ECINET ଆପ ବ୍ୟବହାର କରିପାରିବେ ବୋଲି ଡେପୁଟି କଲେକ୍ଟର ନିର୍ବାଚନ ଅରୁଣ କୁମାର ଖଣ୍ଡା ସୂଚନା ଦେଇଛନ୍ତି।

Post a Comment

Previous Post Next Post