ସହର ତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ବୈଠକରେ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଳା ମାନ୍ୟତା ସହ ଜିଲ୍ଲା ପୁନର୍ଗଠନ ନେଇ ପଦକ୍ଷେପ ନେବାକୁ ଦାବି


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )

ବ୍ରହ୍ମପୁର : ନିକଟରେ ମୋହନ ମାଝୀଙ୍କ ନେତୃତ୍ଵରେ ଗଠିତ ବିଜେପି ସରକାର ଆଗାମୀ ଜନ ଗଣନା ନିମନ୍ତେ ସୀମା ପୁନର୍ଗଠନ ଉପରେ ପ୍ରତିବନ୍ଧକ ଲାଗିବା  ପୂର୍ବରୁ ଜିଲ୍ଲା ପୁନର୍ଗଠନ କରାଯିବ ବୋଲି ସରକାରର ରାଜ୍ବସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମହୋଦୟ ଯେଉଁ ସ୍ବାଗତ ଯୋଗ୍ୟ ଘୋଷଣା କରିଛନ୍ତି ସେ ପରୀପ୍ରେକ୍ଷୀରେ ଅଞ୍ଚଳବାସୀଙ୍କ ବହୁ ଦିନର ଦାବୀ ଓ ଭାବାବେଗକୁ ସମ୍ମାନ ଜଣେଇ ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରି ବ୍ରହ୍ମପୁର ଜିଲ୍ଲା ଗଠନ କରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଅନୁଷ୍ଠିତ ବୈଠକରେ ଦାବୀ କରାଯାଇ ଏକ ସଂକଳ୍ପ ପ୍ରସ୍ତାବ ପାରିତ କରାଯାଉଛି। ବୈଠକରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସୂଚାଇ ଥିଲେ ଯେ ବ୍ରହ୍ମପୁର ଜିଲ୍ଲାର ଆବଶ୍ୟକତା ସମୟର ମାଙ୍ଗ ଏଵଂ ନୂତନ ଜିଲ୍ଲା ଗଠନ ନିମିତ୍ତ ଯେଉଁ ମାପଦଣ୍ଡ ଅଛି ବ୍ରହ୍ମପୁର ଉପଖଣ୍ଡ ତାହାର ସମସ୍ତ ଯୋଗ୍ୟତା ପୂରଣ କରୁଛି। ଏହାକୁ ଆଧାର କରି ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କମିଟି ଦ୍ଵାରା ବିଗତ ଦିନରେ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ଦାୟର କରାଯାଉଥିଲା। ଏହାର ବିଚାର କରି ମାନ୍ୟବର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏ ବାବଦରେ ଜଣେଇବା ପାଇଁ କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ଇତି ମଧ୍ୟରେ ବ୍ରହ୍ମପୁର ଜିଲ୍ଲା ଗଠନ ନେଇ କୌଣସି ନୀତିଗତ ନିଷ୍ପତ୍ତି ନେବାରେ ବିଫଳ ହେଇଥିବାରୁ କମିଟି ଏ ନେଇ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ଦାୟର କରିବ ବୋଲି ବୈଠକର କମିଟି ସଭାପତି ସ୍ପଷ୍ଟ କରିଥିଲେ। ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ସାମାଜିକ,ରାଜନୈତିକ ଓ ଆଇନଗତ ଲଢେ଼ଇ ଜାରି ରହିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ସେହିଭଳି ବୈଠକରେ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମ ଗଠନ ପକ୍ରିୟା ବହୁ ବିଳମ୍ୱିତ ହେଇ ସାରିଥିବାରୁ ଏହାକୁ ତ୍ଵରାନିତ କରି ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ କମିଟି ଦାବୀ କରିଛି।   ଏଠାରେ ପ୍ରଣିଧାନଯୋଗ୍ୟ ଯେ  ଭୌଗୋଳିକ ପରିସୀମା ଓ ଜନସଂଖ୍ୟା ସାନ୍ଧ୍ରତା ମାନଦଣ୍ଡ ଦୃଷ୍ଟିରୁ ବିଚାରକୁ ନେଲେ ବ୍ରହ୍ମପୁର ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇଁ ସର୍ବ ପ୍ରଥମ ଯୋଗ୍ୟତା ହାସଲ କରି ସର୍ବାଗ୍ରେ ରହୁଛି। ବିଗତ ବିଜୁ ପଟ୍ଟନାୟକ ସରକାର ଅମଳରେ ଯେତେବେଳ ନୂତନ ଜିଲ୍ଲା ଗଠନ ନେଇ ଯେଉଁ କମିଟି ଗଠନ ହୋଇଥିଲା ସେ କମିଟି ବ୍ରହ୍ମପୁରକୁ ଏକ ଜିଲ୍ଲା କରିବା ନିମନ୍ତେ ସୁପାରିସ କରିଥିଲେ ମଧ୍ୟ ତତ୍କାଳିନ ବିଜୁ ପଟ୍ଟନାୟକ ସରକାର ତେର ଜିଲ୍ଲାରୁ ତିରିଶ ଜିଲ୍ଲା କଲେ କିନ୍ତୁ ପ୍ରାଶାସନିକ ଷଡ଼ଯନ୍ତ୍ରର ବଶବର୍ତ୍ତୀ ହୋଇ ବ୍ରହ୍ମପୁରକୁ ଜିଲ୍ଲା କଲେ ନାହିଁ।  ଗଞ୍ଜାମ ଜିଲ୍ଲା ଏବେ ମଧ୍ୟ ଏକ ବୃହତ୍ତମ ଜିଲ୍ଲା।ସ୍ଵତନ୍ତ୍ର ଜିଲ୍ଲା ହେଲେ ଜିଲ୍ଲା ସ୍ପେସିଫିକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ ହେବ  ।  ବ୍ରହ୍ମପୁର ଜିଲ୍ଲା ହେଲେ ଏହାର ଶିକ୍ଷା, ସ୍ବାସ୍ଥ୍ୟ, ସଂସ୍କୃତି, ପରମ୍ପରା, ଐତିହ୍ୟ, ପର୍ଯ୍ୟଟନ, ଶିଳ୍ପ ଆଦିର ଅଭୂତପୂର୍ବ ବିକାଶ ହୋଇପାରିବ। ଗମନାଗମନର ଭିତ୍ତିଭୂମି କ୍ଷେତ୍ର ସେ ରେଲୱେ ହେଉ କିମ୍ବା ଗ୍ରୀନଫିଲ୍ଡ ବିମାନବନ୍ଦର, ଜାତୀୟ ରାଜପଥ କିମ୍ବା ସବୁଦିନିଆ ଗୋପାଳପୁର  ବନ୍ଦର ସବୁର ସ୍ଥାପନା, ନିର୍ମାଣ ଉନ୍ନତି ଓ ଅଭିବୃଦ୍ଧି ସମ୍ଭବପର ହୋଇପାରି ଥାନ୍ତା। ବ୍ରହ୍ମପୁର ଏକ ବହୁ ଆକାଂକ୍ଷିତ ଓ ସମ୍ଭାବନା ମୟ ବାଣିଜ୍ୟକ ଓ ନିଯୁକ୍ତିଭିତ୍ତିକ ସହର। ଏହି ସହର ମେନୁଫେକ୍ଚରିଂ ହବ୍ , ଟେକ୍ସଟୀଇଲ କ୍ଲଷ୍ଟର,ଆଇଟି , ଏଆଇ ଓ ଗ୍ରୀନ ଏନର୍ଜୀ ହବ୍ ରୂପେ ବିକଶିତ ହୋଇ ପାରିଥାନ୍ତା  । ଫଳରେ ଅନେକ ଶିଳ୍ପ ଓ ପୁଞ୍ଜି ଏଠାକୁ ଛୁଟି ଥାନ୍ତା ଏବଂ ରୋଜଗାର ଓ ନିଯୁକ୍ତି ସୃଷ୍ଟି ହୋଇପାରି ଥାନ୍ତା।ଏଠାରେ ଏକ ମିଲିଟାରୀ ବେସ ଥିବାରୁ ସୈନିକ ସ୍କୁଲ ଓ ଏନଡିଏ ର ଶାଖା ଖୋଲିବା ସହଜ ହେଇଥାନ୍ତା ବୋଲି କମିଟି କହିଛି। ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବ୍ରଜନଗର ଠାରେ ଅନୁଷ୍ଠିତ ବୈଠକରେ ମଞ୍ଛାସିନ ଥିବା ଉପଦେଷ୍ଟା ପ୍ରଫେସର ଡ. ରଙ୍ଗନାଥ ମିଶ୍ର, ବରିଷ୍ଠ ଆଇନଜୀବି ତଥା ସାମ୍ବାଦିକ ଅଜିତ୍ ସାହୁ, ପ୍ରବୀଣ କୁମାର ପଟ୍ଟନାୟକ ଓ କାଳିନ୍ଦୀ ଚରଣ ନାୟକ ପ୍ରମୁଖ ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ନିଜ ନିଜର ମତ ଓ ମନ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ତାରକେଶ୍ୱର ଦୋରା , ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ଏମ୍ ଲାବଣ୍ୟ ପାତ୍ର, ଋଷିଦେବ ସାହୁ, ବି ଭି ସାଗର, ଶ୍ରିମନ୍ତ ପାଣିଗ୍ରାହୀ, ଟି ସୁଦେଶ ପାତ୍ର,ଦେବୀ ପ୍ରସାଦ ଦାସ, ହିମାଂଶୁ ସାହୁ, ଲକ୍ଷ୍ମୀକାନ୍ତ ଜେନା, ସନ୍ତୋଷ ସାହୁ, ପ୍ରଶାନ୍ତ ପଣ୍ଡା, ଗଗନ ପାତ୍ର, ଜିତେନ୍ଦ୍ର ପ୍ରସାଦ ପାଢ଼ୀ , ଗୋପାଳ କୃଷ୍ଣ ଶତପଥୀ ଓ ସି ଏଚ୍ ରାମ କ୍ରିଷ୍ଣା ଦାସ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ। ପରିଶେଷେରେ ହରିହର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post