(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ CHOOSE CHANGE BECOME ସମ୍ପର୍କରେ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଉଦଯାପିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ଦକ୍ଷିଣାଞ୍ଚଳ ପୋଲିସ ଆଇ.ଜି ଭ୍ରାତା ଡ. ସାର୍ଥକ ଷଡଙ୍ଗୀ ଆନୁଷ୍ଠାନିକ ଉଦଘାଟନ କରି ଆଲୋଚ୍ୟ ବିଷୟ ସମ୍ପର୍କରେ କହିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ନିଜ ଅନ୍ତରର ଦୋଷ ଦୁର୍ବଳତାକୁ ହୃଦୟଙ୍ଗମ କରି ଏକ ଶ୍ରେଷ୍ଠ ବ୍ୟକ୍ତିତ୍ବ ନିର୍ମାଣ ସକାଶେ ଆମକୁ ପ୍ରଥମେ ଆତ୍ମ ନିରୀକ୍ଷଣ, ଆତ୍ମ ଅନୁଶାସନ, ଆତ୍ମ ବିଶ୍ଳେଷଣ ଦ୍ବାରା ସଠିକ୍ ନିର୍ଣ୍ଣୟ କରିବାକୁ ହେବ । ତତ୍ପରେ ନିଜ ଅହମିକାକୁ ପରିହାର ପୂର୍ବକ ବିଶ୍ବ ପରିବର୍ତ୍ତନ ସକାଶେ ସ୍ବପରିବର୍ତ୍ତନ ଦ୍ବାରା ନିଜର ଦୃଷ୍ଟିକୋଣର ସକାରାତ୍ମକ ପରିବର୍ତ୍ତନ କରିବାକୁ ହେବ । ତବେ ଯାଇ ଆମେ ସମାଜରେ ଏକ ଶାନ୍ତ, ସରଳ, ସ୍ଥିର ବୁଦ୍ଧି, ଧୀଯୁକ୍ତ ସମ୍ପନ୍ନ, ସ୍ବସ୍ଥ ଏବଂ ସ୍ବଚ୍ଛ ବ୍ୟକ୍ତିତ୍ବରେ ନିର୍ମାଣ କରିପାରିବା । ମୁଖ୍ୟବକ୍ତା ରୂପେ ଲଣ୍ଡନସ୍ଥିତ "Global Retreat Centre" ପରିଚାଳିକା ତଥା ପ୍ରଶିକ୍ଷିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଗୋପୀ ଦିଦି ଆଲୋଚ୍ୟ ବିଷୟରେ କହିଥିଲେ ଯେ ସମ୍ବାଳୁଆରୁ ପ୍ରଜାପତିର ଅନ୍ତର୍ନିହିତ ପରିବର୍ତ୍ତନ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜାଣିହୁଏ ଯେ ଏଥିସକାଶେ କେତେ ଆନ୍ତରିକ ଦୀର୍ଘ ସମୟର ପୁରୁଷାର୍ଥ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଯାହାକି ପରମାତ୍ମାଙ୍କ ସହିତ ସହଜ ରାଜଯୋଗ ଅଭ୍ୟାସ ଦ୍ବାରା ସମ୍ଭବ । ତେବେ ଯାଇ ଆମର ସକାରାତ୍ମକ, ମୂଲ୍ୟ ସମ୍ପନ୍ନ ନିର୍ଣ୍ଣୟ ମାଧ୍ୟମରେ ସମାଜର ଶ୍ରେଷ୍ଠ ପରିବର୍ତ୍ତନ ହୋଇପାରିବ । ସମ୍ମାନନୀୟ ବକ୍ତା ରୂପେ SBR Govt. Women's collegeର ଅଧ୍ୟକ୍ଷ ଭ୍ରାତା ଡ. ଚିତ୍ତରଞ୍ଜନ ଶତପଥୀ ନିଜ ବକ୍ତବ୍ୟରେ କହିଥିଲେ ଯେ ପରମାତ୍ମାଙ୍କ ସୃଷ୍ଟିରେ ମନୁଷ୍ୟ ଏକ ବିବେକ ସମ୍ମତ ଶ୍ରେଷ୍ଠ ପ୍ରାଣୀ ରୂପେ ନିଜକୁ ସୁପଥରେ ପରିଚାଳିତ କରିବାରେ କ୍ଷମତା ସମ୍ପନ୍ନ ଅଟେ । ଏଥିସକାଶେ ଆତ୍ମ ଚିନ୍ତନ ମାଧ୍ୟମରେ ପରମାତ୍ମାଙ୍କ ସହଯୋଗ ଯୁକ୍ତ ହୋଇ ନିଜ ଅନ୍ତରର ହିଂସା, ଈର୍ଷା, ଦ୍ବେଷ ଏବଂ ଦ୍ବନ୍ଦ ଆଦି ନକାରାତ୍ମକ ପ୍ରକ୍ରିୟା । ସମୂଳେ ନଷ୍ଟ କରି ସକାରାତ୍ମକ ପ୍ରକ୍ରିୟା ”ଅହିଂସା, ପ୍ରେମ, ଶାନ୍ତି, ସଦଭାବ'' ଆଦିର ସୁମନ୍ବୟ ଦ୍ବାରା ନିଜ ବିକାଶ ସହ ଦେବ ସମ ଲକ୍ଷ୍ୟ ପ୍ରାପ୍ତ କରିପାରିବ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶୀତଳାପଲ୍ଲୀସ୍ଥିତ SUM-3 Hospital ର ଅଧୀକ୍ଷକ ଭ୍ରାତା ଡ. ଅଯୋଧ୍ୟାନାଥ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ ଯେ,ଏପରି ଅନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ଅନୁଷ୍ଠାନର ସମ୍ପର୍କ ଓ ସହଯୋଗ ମାଧ୍ୟମରେ ନିଜ ମନର କଳୁଷିତ ବିଚାରଧାରା, ଅସ୍ଥିରତା ଏବଂ ବହିର୍ମୁଖୀ ନକାରାତ୍ମକ ସଂସ୍କାରର ପରିବର୍ତ୍ତନ ଦ୍ବାରା ଆମେ ନିଜକୁ ଯେଉଁଭଳି ଭାବେ ଗଢ଼ି ତୋଳିବାକୁ ଚାହିଁବା ନିଜର ମନର ସୁନିୟନ୍ତ୍ରଣ ଦ୍ବାରା ସେହିପରି ଗଢ଼ି ତୋଳିପାରିବା । ବ୍ରହ୍ମପୁର ସବ୍ଜୋନ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ନିଜ ଆଶୀର୍ବଚନରେ କହିଥିଲେ ଯେ ବର୍ତ୍ତମାନର ସଙ୍କଟମୟ ପରିସ୍ଥିତିରେ ସାହସିକତାର ସହ ସଫଳତା ପ୍ରାପ୍ତ କରିବା ସକାଶେ ପରମାତ୍ମ ପ୍ରଦତ୍ତ ସହଜ ରାଜଯୋଗ ଅଭ୍ୟାସ କରିବା ଏକାନ୍ତ ଆବଶ୍ୟକ । ବ୍ରହ୍ମାକୁମାରୀ ପ୍ରଭାତୀ ସ୍ବାଗତ ସମ୍ଭାଷଣ, ସଂସ୍ଥା ପରିଚୟ ପ୍ରଦାନ ସହ ଆଲୋଚ୍ୟ ବିଷୟର ସ୍ପଷ୍ଟୀକରଣ କରିଥିଲେ । କୁମାରୀ ଆଦିତ୍ରୀ, ଅଭିସ୍କା ଏବଂ ଶିବାଂଶୀ ଆଧ୍ୟାତ୍ମିକ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ । ବ୍ରହ୍ମାକୁମାରୀ ଅର୍ଚ୍ଚନା ରାଜଯୋଗର ଅଭ୍ୟାସ କରାଇଥିଲେ । ଏହି ଅବସରରେ ଅନ୍ତର୍ର।ଷ୍ଟ୍ରୀୟ ମୁଖ୍ୟାଳୟରୁ ପଦାର୍ପଣ କରିଥିବା ଭ୍ରାତା ପଦମ, ଦୀପକ ନିଜ ଶୁଭକାମନା ବ୍ୟକ୍ତ କରିଥିଲେ । ସର୍ବଶେଷରେ M. K. C. G Medical Collegeର ମେଡିସିନ ବିଭାଗର Asst. Professor ଭ୍ରାତା ଡା. ଚନ୍ଦନ ଗନ୍ତାୟତ ସୁମଧୁର ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ବ୍ରହ୍ମାକୁମାରୀସ୍ ସବଜୋନର ଭାଇଭଉଣୀଙ୍କ ସକାଶେ ଏକ ରାଜଯୋଗ ଭଟ୍ଟୀ ଅନୁଷ୍ଠିତ ହୋଇଥିଲା ତଥା ବ୍ରହ୍ମପୁରସ୍ଥିତ print and electronics mediaର ସମସ୍ତ ସାମ୍ବାଦିକମାନଙ୍କ ସକାଶେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ପ୍ରାୟ 2000 ଜଣ ଯୋଗଦେଇ ଲାଭାନ୍ବିତ ହୋଇଥିଲେ ।