ଭଞ୍ଜନଗର:ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲାର ଭଞ୍ଜନଗରସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଜନର କାର୍ଯ୍ୟାଳୟ ପରିସର ଭିତରେ ଉପଖଣ୍ଡ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅଞ୍ଚଳର ଚାଷୀମାନଙ୍କର ସମସ୍ତ ଚାଷଜମିରେ କିପରି ଠିକ ଭାବରେ ଜଳସେଚନ ହୋଇପାରିବ ସେଥିପାଇଁ ଅତିଶୀଘ୍ର କିଛି ସ୍ଥାନରେ ନଦୀରେ ବନ୍ଧ ନିର୍ମାଣ କରାଯିବା ସହିତ କିଛି ପୁରୁଣାଜଳଭଣ୍ଡାରର ପୁନରୁଦ୍ଧାର କରାଯିବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ଭଞ୍ଜନଗର ଉପଖଣ୍ଡର ସମସ୍ତ ଚାଷ ଜମିକୁ କିପରି ସମାନ ଭାବରେ ଜଳସେଚନ ହୋଇପାରିବ ଯାହାଫଳରେ ସମସ୍ତ ଚାଷୀ ଉପକୃତ ହୋଇପାରିବେ ଏବଂ ଚାଷୀ ମାନେ କିପରି ଉତ୍ତମ ପ୍ରଣାଳୀ ରେ ବିଭିନ୍ନ ପ୍ରକାର ଚାଷ କରିବା ଦ୍ୱାରା ନିଜର ଉନ୍ନତି ସାଧନ କରିପାରିବେ। ଏହି କାର୍ଯ୍ୟକ୍ରମରେ ଉଦ୍ୟାନ ବିଭାଗ ଓ କୃଷିବିଭାଗର ମଧ୍ୟ କିଛି କର୍ମଚାରୀ ଓ ଅଧିକାରୀମାନେ ଆସି ଚାଷୀମାନଙ୍କ ପାଇଁ ଥିବା ଯୋଜନା ଗୁଡିକୁ ବୁଝାଇଥିଲେ। ଗତ ଡିସେମ୍ବର ୧୫ ତାରିଖ ଦିନ ଭଞ୍ଜନଗର ଉପଖଣ୍ଡର ସମସ୍ତ ବ୍ଳକର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ବକ୍ତୃତା, ନାଚ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା। ସେଥିରେ କୃତିତ୍ୱହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜିର କାର୍ଯ୍ୟକ୍ରମରେ ବିଧାୟକ ଏବଂ ଉପସ୍ଥିତ ସମସ୍ତ ଅଧିକାରୀମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର ଉପଖଣ୍ଡ କ୍ଷୁଦ୍ର ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଶ୍ୱେତା ଶୁଭଦର୍ଶିନୀ, ଭଞ୍ଜନଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ଆରୁଖ, ସୋରଡା ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁସାନ୍ତ କୁମାର ମହାପାତ୍ର, ଜଗନ୍ନାଥପ୍ରସାଦ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ କୃଷ୍ଣ ପଣ୍ଡା, ଭଞ୍ଜନଗର ସହକାରୀ ଯନ୍ତ୍ରୀ ଉମା ଶଙ୍କର ସେଠୀ, ଓପିକ୍ରା ଟିମ ଲିଡର ସାରଦା ପ୍ରସନ୍ନ ଖୁଣ୍ଟିଆ, ଉଦ୍ୟାନ କୃଷି ବିଭାଗର ସହକାରୀ ଅଧିକାରୀ ମାନସ ରଣା, କୃଷି ବିଭାଗର ଯୋଜନା ଅଧିକାରୀ ଇତିଶ୍ରୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


