ମାଲକାନଗିରି ରୁ ସତ୍ୟ ନାରାୟଣ ଦାଶଙ୍କ ରିପୋର୍ଟ ମୋ ନ୍ୟୁଜ ଓଡିଶା।
ମାଲକାନଗିରି ତା ୧୯/୧୨ ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ ମଣ୍ଡିରେ ଓ ଜମିରେ ପଡି ରହିଥିବା ଧାନକୁ ନେଇ ଚିନ୍ତାରେ ଚାଷିକୁଳ। ମାଲକାନଗିରି ଜିଲ୍ଲାରେ ଲଘୁଚାପର ପ୍ରଭାବରେ ଆଜି ଦିନ ତମାମ ପାଗ କୋହଲା ରହିବା ସହ ସ୍ଥାନେ ସ୍ଥାନେ ଝିପି ଝିପି ବର୍ଷା ଆରମ୍ଭ ହୋଇଛି। ତେବେ ଯାହା ଜିଲ୍ଲାର ଚାଷୀଙ୍କ ଉପରେ ପ୍ରଭାବ ପକାଇବାର ଭୟ ଦେଖା ଦେଇଛି। କାରଣ ଜିଲ୍ଲାର କିଛି ସ୍ଥାନରେ ଏବେବି ଜମିରେ ଧାନ କଟା ହୋଇ ପଡି ରହିଥିବା ବେଳେ ମଣ୍ଡିରେ ମଧ୍ୟ ପଡ଼ିଥିବା ଧାନ ଓଦା ହେବାର ଆଶଙ୍କା ଦେଖା ଦେଇଛି। ଧାନ ଓଦା ହେଲେ ଏହାର ମାନ ଉପରେ ପ୍ରଭାବ ପଡିବା ସହ ଏହା ନଷ୍ଟ ହେବାର ଭୟ ଥିବା ବେଳେ ଏନେଇ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି। ବର୍ଷା ସମ୍ଭାବନାକୁ ଆଖି ଆଗରେ ରଖି ମଣ୍ଡି ଗୁଡିକରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀଙ୍କ ଧାନ ଘୋଡାଇ ରଖିବା ପାଇଁ ତାରପିଲିନ ପାଲରେ ବ୍ୟବସ୍ଥା କରାଯାଇଛି ସତ। ହେଲେ ଅଧିକ ବର୍ଷା ହେଲେ ଧାନ ଓଦା ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।


