୨୦୨୬ ସୁଦ୍ଧା ଶେଷ ହେବ ପୋଲାଭରମ ନିର୍ମାଣ କାର୍ଯ୍ୟ
ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେଉଥିବା ପୋଲାଭରମ ପ୍ରକଳ୍ପ ମାଲକାନଗିରି ଜିଲ୍ଲା ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।ପୋଲାଭରମ ପ୍ରକଳ୍ପର ପ୍ରଳୟରେ ମାଲକାନଗିରି ଜିଲ୍ଲାର ମଣିଷ ତ ମଣିଷ ବହୁ ସଂଖ୍ୟାରେ ଦେବା ଦେବୀ ମନ୍ଦିର ମଧ୍ୟ ଡୁବି ଯିବାର ଆଶଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାଲକାନଗିରି ବାସୀଙ୍କ ଆରାଧ୍ୟ ଦେବତାଙ୍କ ମନ୍ଦିର ସ୍ଥଳ ମାନ୍ୟମକୋଣ୍ଡା ମଧ୍ୟ ପ୍ରଭାବିତ ହେବାର ସୂଚନା ମିଳୁଛି। ପୋଲାଭରମ ବନ୍ଧର ବୁଡି ଅଞ୍ଚଳ ମଧ୍ୟରେ ଆସୁଥିବା ମାଲକାନଗିରି ଜିଲ୍ଲାର ୮ ଟି ଗ୍ରାମ ପଞ୍ଚାୟତର ପାଖାପାଖି ୨୫ରୁ ଉର୍ଦ୍ଧ୍ବ ଗାଁ ଜଳମଗ୍ନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୁରାତାତ୍ଵିକ ଓ ଧାର୍ମିକ ମହତ୍ତ୍ଵ ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାକୁ ଉଭୟ ତ୍ରେତୟା ଯୁଗର ରାମ ବନବାସ ବିଷୟରେ ବର୍ଣ୍ଣନା ରହିଛି, ସେହିପରି ମହାଭାରତ ଯୁଗର ପଞ୍ଚୁପାଣ୍ଡବଙ୍କର ଅଜ୍ଞାତବାସ ଭଳି ଆଧ୍ୟାତ୍ମିକତା ଚେତନା ସହ ଯୋଡା ଯାଇଛି।ଯାହାର ମୁକ ସାକ୍ଷୀ ମାଲକାନଗିରିର ଯଦୁଗୁଡାକୁ ଯଉ ଘର ଓ ଆମାକୁଣ୍ଡ ବା ସୀତାକୁଣ୍ଡକୁ ରାମାୟଣ କାଳୀନ ପ୍ରମାଣ ରହିଛି।ସେହିପରି ମାନ୍ୟମକୋଣ୍ଡାର ବାଲରାଜୁ , କାମରାଜୁ ,ପୋତରାଜୁଙ୍କ ଆଧ୍ୟାତ୍ମିକତାକୁ ଏଠାକାର କୋୟା ଆଦିବାସୀ ମାନେ ହୃଦୟର ସହ ସମ୍ଭାଳି ରଖିଛନ୍ତି।ବିଡମ୍ବନା ଏହିକି ଯେ ଗୋଟେ ପଟେ ସମୁଦ୍ରରେ ବୁଡି ଯାଇଥିବା ରାମସେତୁ ଉପରେ ଗବେଷଣା ପାଇଁ କେନ୍ଦ୍ର ସରକାର ଭିନ୍ନ ଭିନ୍ନ ଯୋଜନା କରୁଛନ୍ତି। ୫ ଶହ ବର୍ଷ ପରେ ଶ୍ରୀରାମଙ୍କ ଘର ବାହୁଡ଼ା ହୋଇଛି ବୋଲି କୁହାଯାଉଛି। କିନ୍ତୁ ଅନ୍ୟ ପଟେ ଓଡ଼ିଶାର ମାଲକାନଗିରି ଜିଲ୍ଲା ବାସୀଙ୍କ ଆଧ୍ୟାତ୍ମିକତା ଏବେ ପୋଲାଭରମ ପ୍ରକଳ୍ପ ମଧ୍ୟରେ ବୁଡିବାକୁ ବସିଚି।ପୋଲାଭରମ ପରିଯୋଜନା ଅନ୍ତର୍ଗତ ଆସୁଥିବା ମାଲକାନଗିରି ଜିଲ୍ଲାର ୬ ଗ୍ରାମ ପଞ୍ଚାୟତର ୨୧ ଗାଁରେ ଥିବା ପୁରାତାତ୍ଵିକ ଐତିହ୍ୟ ସ୍ଥଳ ଗୁଡିକର ଏବେ ପର୍ଯ୍ୟନ୍ତ ସରକାର ପକ୍ଷରୁ କୌଣସି ସର୍ଭେ ହୋଇନାହିଁ କି ଜିଲ୍ଲା ମୁଖ୍ୟାଳୟରେ କୌଣସି ସରକାରୀ ତଥ୍ୟ ମଧ୍ୟ ମିଳୁନାହିଁ। ୧୪ ବର୍ଷ କାଳ ରାମ ବନବାସ ବେଳେ ଛତିଶଗଡର କୋଣ୍ଟା ଠାରୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ ଓ ଓଡ଼ିଶାର ମାଲକାନଗିରି ଜିଲ୍ଲାକୁ ଦଣ୍ଡକାରଣ୍ୟରେ ଭଗବାନ ରାମଙ୍କ ବନବାସର ଅନ୍ତିମ ପର୍ଯ୍ୟାୟ ବୋଲି ମାନ୍ୟତା ରହିଛି।
ସେହିପରି ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ଅନେକ ପୁରାତାତ୍ଵିକ ଐତିହ୍ୟ ପ୍ରମାଣ ରହିଛି। ଶ୍ରୀରାମ ସାଂସ୍କୃତିକ ଗବେଷଣା ସଂସ୍ଥାନ ନ୍ୟାସ ନୂଆଦିଲ୍ଲୀ ପକ୍ଷରୁ ଶ୍ରୀରାମ ବନବାସ ସ୍ଥଳ ଭାବେ ସ୍ଥାନୀୟ ଇଂଜରମ ଗାଁକୁ ବହୁ ବର୍ଷ ପୂର୍ବେ ଚିହ୍ନଟ କରାଯାଇଥିଲା। ସଂରକ୍ଷିତ କ୍ଷେତ୍ର ଭାବେ ଘୋଷଣା କରାଯାଇଛି ଏବଂ ଏହା ଅଞ୍ଚଳବାସୀଙ୍କ ଦୀର୍ଘ ୬୦ ବର୍ଷର ଦୁଃଖ ବୋଲି କହିଛନ୍ତି। ଏହା ସତ୍ତ୍ୱେ ପୋଲାଭରମ ପ୍ରକଳ୍ପର ବୁଡି ଅଞ୍ଚଳରେ ଆସୁଥିବା ବିଭିନ୍ନ ପୁରାତାତ୍ଵିକ ତଥା ଆଧ୍ୟାତ୍ମିକ ସ୍ଥଳ ପ୍ରତି କାହାରି ଧ୍ୟାନ ନାହିଁ। ସେଗୁଡିକ ଏବେ ବିକାଶ ପରିଯୋଜନାରେ ବଳି ପଡିଯିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।ପୋଲାଭରମ ପାଇଁ କୋଣ୍ଟାର ଇଂଜରମ ଗାଁ ଠାରେ ନିର୍ମାଣ ହବାକୁ ଥିବା ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପରିକଳ୍ପନା ଏବେ ଥଣ୍ଡା ପଡିଯାଇଛି। ଏକ ଦର୍ଜନରୁ ଉର୍ଦ୍ଧ୍ବ ଐତିହ୍ୟ ସ୍ଥଳ ପୋଲାଭରମ ପ୍ରକଳ୍ପ ମଧ୍ୟରେ ବୁଡି ଯିବାକୁ ବସିଛି। ପୋଲାଭରମ ପରିଯୋଜନାରେ ପ୍ରଭାବିତ ହେଉଥିବା କୋୟା ଆଦିବାସୀଙ୍କ ଭଳି ସରକାର ପୌରାଣିକ ଐତିହ୍ୟ ସ୍ଥଳକୁ ମଧ୍ୟ ପାଣିରେ ବୁଡିବା ପାଇଁ ଛାଡି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଅଞ୍ଚଳର ବିଭିନ୍ନ ଆଦିବାସୀ ସଂସ୍କୃତି ସହ ଧାର୍ମିକ ଆସ୍ଥା ମଧ୍ୟ ଏଠାରେ ବାଜି ଲାଗିଛି। ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଲୋକମାନେ ଏବେ ମାଓବାଦୀଙ୍କୁ ଭୟ କରୁନାହାଁନ୍ତି। ପୋଲାଭରମ ପରିଯୋଜନାର ସର୍ଭେ ଗତ ୨୦୨୧ ମସିହା ଅଗଷ୍ଟ ମାସରେ ଛତିଶଗଡ କୋଣ୍ଟା ଠାରେ ହୋଇଥିଲା। ସେତେବେଳେ ସର୍ଭେ କ୍ୟାମେରା ଦେଖି ଆତଙ୍କିତ ଅବସ୍ଥାରେ ବଞ୍ଚିଛନ୍ତି ଆଦିବାସୀ। ଗ୍ରାମବାସୀଙ୍କ କହିବାନୁଯାୟୀ ଆନ୍ଧ୍ରପ୍ରଦେଶରୁ ସର୍ଭେ କରିବାକୁ ଆସୁଛନ୍ତି ଏବଂ ସର୍ଭେ କରି ଚାଲିଯାଉଛନ୍ତି। ଯାହା ଫଳରେ ଅଞ୍ଚଳବାସୀଙ୍କୁ ମାଓବାଦୀଙ୍କ ଭୟ ଅପେକ୍ଷା ପୋଲାଭରମ ପ୍ରକଳ୍ପ ସର୍ଭେର ଦୁରବୀକ୍ଷଣ ଯନ୍ତ୍ରକୁ ଦେଖି ଦେହ ସିତେଇ ଯାଉଛି।
ସୂଚନାଯୋଗ୍ୟ ଯେ ପୋଲାଭରମ ମାମଲା ବର୍ତ୍ତମାନ ଉଚ୍ଚତମ ନ୍ୟାୟାଳୟରେ ବିଚାରାଧୀନ ଥିବା ବେଳେ ଆନ୍ଧ୍ରପ୍ରଦେଶ ସରକାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା କଥା। ଏପଟେ କିନ୍ତୁ ପୋଲାଭରମକୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରାଯାଇଛି।ପୋଲାଭରମ ନିର୍ମାଣ କାର୍ଯ୍ୟ ଏବେ ଦୃତ ଗତିରେ କରାଯାଉଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ ସୁକୁମା ଜିଲ୍ଲାର କୋଣ୍ଟା ଓ ମାଲକାନଗିରି ଜିଲ୍ଲା ଅଞ୍ଚଳରେ ଥିବା ପୌରାଣିକ ଐତିହ୍ୟର ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ ପାଉଛି। ପୋଲାଭରମ ମଧ୍ୟରେ ଥିବା ସମସ୍ତ ଗାଁ , ବିଦ୍ୟାଳୟ , କାର୍ଯ୍ୟାଳୟ , ମନ୍ଦିର , ଗିର୍ଜା , ମସଜିଦ ଭଳି ବିଭିନ୍ନ ଅନୁଷ୍ଠାନକୁ ସ୍ଥାନାନ୍ତରିତ କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ ମନ୍ଦିର ,ଗିର୍ଜା ,ମସଜିଦକୁ ସରକାର ଅନ୍ୟତ୍ର ନିର୍ମାଣ କରି ହସ୍ତାନ୍ତର କରିଛନ୍ତି। ମାଲକାନଗିରି ଜିଲ୍ଲା ସ୍ଥାନୀୟ ଲୋକମାନେ ଏଠାରେ ଥିବା ପୌରାଣିକ ଐତିହ୍ୟର ସୁରକ୍ଷାକୁ ନେଇ ଅଧିକ ଚିନ୍ତିତ ରହିଥିବା ବେଳେ ପୋଲାଭରମ ପ୍ରକଳ୍ପ ଆସନ୍ତା ୨୦୨୬ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରେ ବୋଲି ଆଶା କରାଯାଉଛି।