ସରକାରୀ ଅର୍ଥ ଆତ୍ମସାତ ମାମଲା, ଏଲ୍‌ଏସ୍‌ଇଓଙ୍କୁ ୨ବର୍ଷ ଜେଲଦଣ୍ଡ

 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଏକ ସରକାରୀ ଅର୍ଥ ଆତ୍ମସାତ ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କରିଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ଅଶୋକନଗରର ପି. ଆଦିଲକ୍ଷ୍ମୀ। ତାଙ୍କୁ ୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୭ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନାଦେୟ ଅତିରିକ୍ତ ୩ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବାକୁ କୋର୍ଟ ଚୂଡ଼ାନ୍ତ ରାୟ ଦେଇଛନ୍ତି। ସୂଚନା ଅନୁସାରେ ଆଦିଲକ୍ଷ୍ମୀ ପୁରୁଷୋତ୍ତମପୁର ବ୍ଲକ୍‌ରେ ମହିଳା ସାମାଜିକ ଶିକ୍ଷା ଅଧିକାରୀ(ଏଲ୍‌ଏସ୍‌ଇଓ) ଭାବେ କାର୍ଯ୍ୟ କରୁଥିବା ବେଳେ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ତଥା ଭିନ୍ନକ୍ଷମ ଭତ୍ତା ବାବଦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ୧୯୯୭ ଜାନୁଆରି ୨ତାରିଖରୁ ଡିସେମ୍ବର ୧୦ତାରିଖ ମଧ୍ୟରେ ସେ ପେନସନ୍‌ ଓ ଭତ୍ତା ବାବଦରେ ୧୪ଲକ୍ଷ ୫୮ହଜାର ୬ଶହ ଟଙ୍କା ନେଇ ହିତାଧିକାରୀଙ୍କୁ ୧୨ଲକ୍ଷ ୫୮ହଜାର ୪ଶହ ଟଙ୍କା ବଣ୍ଟନ କରିଥିଲେ। ବଳକା ରହିଥିବା ୨ଲକ୍ଷ ୨ଶହ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ମାମଲାର ତଦନ୍ତ କରି କେସ୍ ନମ୍ବର ୫୭/୦୧ରେ ମାମଲା ରୁଜୁ କରି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ମାମଲାର ଶୁଣାଣି ବେଳେ ୮ଜଣ ସାକ୍ଷୀଙ୍କ ବୟାନ କେରର୍ଡ଼ କରାଯାଇଥିଲା। ଅବଶ୍ୟକ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Post a Comment

Previous Post Next Post