ମୋ ନିୟୁଜ ଓଡିଶା ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, କଟକ, ପୁରୀ ଏବଂ ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧୀନସ୍ଥ ୪୨ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି । ଏଥିରେ ୪୪୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୧୦ ହଜାର ୫୫୧ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ୩୫ ହଜାରରୁ ଅଧିକ ସୁରକ୍ଷା ଯବାନଙ୍କୁ ମୁତୟନ କରାଯାଇଛି। ଏଥିରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ୧୨୧ କଂପାନି ଥିବା ବେଳେ ଓଡ଼ିଶା ସଶସ୍ତ୍ର ବାହିନୀର ୧୦୬ ପ୍ଲାଟୁନ ଫୋର୍ସ ଏବଂ ୧୯୮୬୫ ସିଭିଲ ପୁଲିସ କର୍ମଚାରୀ ସାମିଲ ଅଛନ୍ତି।
ଆଜି ଯେଉଁ ୪୪୭ ପ୍ରାର୍ଥୀ ସେମାନଙ୍କର ଭାଗ୍ୟ ପରୀକ୍ଷା କରୁଛନ୍ତି, ସେମାନଙ୍କ ମଧ୍ୟରେ ଲୋକସଭା ପାଇଁ ୬୪ ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ ମୋଟ୍ ୩୮୩ ପ୍ରାର୍ଥୀ ଅଛନ୍ତି। ୬ଟି ଲୋକସଭା ଆସନ ମଧ୍ୟରୁ ସମସ୍ତଙ୍କ ନଜରରେ ରହିଛି ଭୁବନେଶ୍ବର, କଟକ, ପୁରୀ ଓ ସମ୍ବଲପୁର ଉପରେ। ଏଠାରେ ବିଜେଡି ଓ ବିଜେପି ମଧରେ କଡ଼ା ମୁକାବିଲା ହେଉଛି। ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଚଳିତ ନିର୍ବାଚନର ସବୁଠୁ ବଡ଼ ଲଢ଼େଇ ହେଉଛି। ଏହାକୁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ସମ୍ମାନର ଲଢ଼େଇ କୁହାଯାଉଛି। ଏହାସହିତ ଭୁବନେଶ୍ବର ଲୋକସଭା ଆସନରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡି ନେତା ମନ୍ମଥ ରାଉତରାୟ, ପୁରୀରେ ବିଜେପିର ସମ୍ବିତ ପାତ୍ର ଓ ବିଜେଡିର ଅରୂପ ପଟ୍ଟନାୟକ, କଟକରେ ବିଜେପିର ଭର୍ତ୍ତୃହରି ମହତାବ ଓ ବିଜେଡିର ସନ୍ତୃପ୍ତ ମିଶ୍ରଙ୍କ ମଧ୍ୟରେ କଡ଼ା ମୁକାବିଲା ହେଉଛି। ଏହି ୩ଟି ଆସନ ବି ଜିତିବାକୁ ଦୁଇ ଦଳ ପୂରା ଦମ୍ ଲଗାଇଛନ୍ତି।