ଭାସି ଯାଇଥିବା ନାବାଳକର ମୃତଦେହ ଉଦ୍ଧାର କଲା ଧରାକୋଟ ଅଗ୍ନିଶମ ବାହିନୀ


ଗଂଜାମ,ଧରାକୋଟ (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୦୨/୧୦/୨୦୨୬: ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ଜଣେ ୧୩ ବର୍ଷୀୟ ନାବାଳକଙ୍କ ମୃତଦେହ ଦୀର୍ଘ ପାଞ୍ଚ ଦିନ ପରେ ଉଦ୍ଧାର ହୋଇଛି। ମୃତ ନାବାଳକ ଜଣକ ସୋରଡ଼ା ମଠସାହିର କରୁଣାକର ନାୟକଙ୍କ ପୁଅ କିସାନ ନାୟକ ବୋଲି ଜଣାପଡ଼ିଛି।ଗତ ୨୮ ତାରିଖ ସକାଳ ପ୍ରାୟ ୯ଟା ସମୟରେ କିସାନ ଋଷିକୁଲ୍ୟା ନଦୀର ବୁଦ୍ଧ ଲିଙ୍ଗେଶ୍ୱର ଶିବମନ୍ଦିର ନିକଟସ୍ଥ ଘାଟକୁ ଗାଧୋଇବା ପାଇଁ ଯାଇଥିଲେ। ଏହି ସମୟରେ କୌଣସି କାରଣରୁ ସେ ପ୍ରଖର ଜଳସ୍ରୋତରେ ଭାସି ଯାଇଥିଲେ। ଘଟଣାର ପ୍ରତ୍ୟକ୍ଷଦର୍ଶୀମାନେ ତୁରନ୍ତ ପରିବାର ଲୋକଙ୍କୁ ଜଣାଇବା ସହ ସୋରଡ଼ା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ଲାଇଫ୍‌ ବୋଟ୍‌ ସାହାଯ୍ୟରେ ନଦୀର ପ୍ରଖର ସ୍ରୋତ ମଧ୍ୟରେ ଦୀର୍ଘ ସମୟ ଧରି ବହୁ ଦୂର ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ତେବେ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା।ପରେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଧରାକୋଟ ଅଗ୍ନିଶମ ବାହିନୀ ନିଜ ଅଞ୍ଚଳ ଅଧୀନରେ ଥିବା ନଦୀପଥରେ ବୋଟ୍‌ ସାହାଯ୍ୟରେ ଯାନିବିଲି ଡ୍ୟାମ୍‌ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। କିନ୍ତୁ ସେତେବେଳେ ମଧ୍ୟ ନାବାଳକଙ୍କ କୌଣସି ସନ୍ଧାନ ମିଳିନଥିଲା।ଦୀର୍ଘ ପାଞ୍ଚ ଦିନ ପରେ ଆଜି ସକାଳେ ସ୍ଥାନୀୟ ଲୋକଙ୍କଠାରୁ ନାବାଳକଙ୍କ ମୃତଦେହ ବରାଡ଼ବିଲି ଶଙ୍ଖନାଳ ନିକଟରେ ଲାଗିଥିବା ସୂଚନା ମିଳିଥିଲା। ଖବର ପାଇ ଧରାକୋଟ ଅଗ୍ନିଶମ ବାହିନୀ ଓ ଧରାକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।ପ୍ରଖର ଜଳସ୍ରୋତକୁ ଅତିକ୍ରମ କରି ଅଗ୍ନିଶମ ବାହିନୀ ନଦୀ ମଝିରେ ଥିବା ଏକ ଉଚ୍ଚ ସ୍ଥାନରୁ ନାବାଳକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଧରାକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

              ମୋ ନିଯୁଜୁ ଓଡିଶା

Post a Comment

Previous Post Next Post