ଗଞ୍ଜାମ,ଧରାକୋଟ,ସାବା (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୩୦/୦୯/୨୦୨୬: ଧରାକୋଟ ବ୍ଲକ୍ର ସାବା ପଞ୍ଚାୟତ ଅନ୍ତର୍ଗତ ପଟାସାଳ ଗାଁରେ ଗତ ୩ ଦିନ ଧରି ଲାଗି ରହିଥିବା ଝାଡ଼ାବାନ୍ତି ଘଟଣାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଗତକାଲି ପର୍ଯ୍ୟନ୍ତ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆକ୍ରାନ୍ତ ହୋଇଥିଲେ। ଡାକ୍ତରୀ ଦଳର ଚିକିତ୍ସା ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାପଡ଼ିଛି। ତେବେ ଆଜି ଆଉ ୩ ଜଣ—ଇସମାଇଲ ଗମାଙ୍ଗ, ଗୋଦାବରୀ ଗମାଙ୍ଗ ଓ ଝୁନି ମଳିକ—ଚିକିତ୍ସା ପାଇଁ ମାଣିକପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷରେ ୧୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ସାଧାରଣ ଚିକିତ୍ସା ପରେ ଘରକୁ ପଠାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଗତକାଲି ସୂଚନା ପାଇବା ପରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ପଟାସାଳ ଗାଁରେ ପହଞ୍ଚି ଆକ୍ରାନ୍ତମାନଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏଥିସହ ସେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆଜି ଘଟଣାର କାରଣ ଅନୁସନ୍ଧାନ କରିବା ସହ ରୋଗ ନିୟନ୍ତ୍ରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପଟାସାଳ ଗାଁରେ ପହଞ୍ଚିଥିଲା। ଟିମ୍ରେ ମହାମାରୀ ବିଜ୍ଞାନୀ, ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ରହିଥିଲେ। ସେମାନେ ଗାଁରୁ ପାଣି ଓ ଝାଡ଼ା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି। ଏହି ଟିମ୍ରେ ଡା. ଏମ୍.ଭି.କେ. ଅଶୋକ, ଡା. ସଚ୍ଚିଦାନନ୍ଦ ବିଷୋୟୀ, ଡା. ଅନୁପମା ମହାପାତ୍ର, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁଧୀର କାନ୍ତ ସାହୁ, ପୁରୁଷୋତ୍ତମ ସ୍ୱାଇଁ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ। ପଟାସାଳ ଗାଁର ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ସହ ହଇଜା ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ଭାରପ୍ରାପ୍ତ ଅଧିକାରୀ ଡା. ଏମ୍.ଭି.କେ. ଅଶୋକ ସୂଚନା ଦେଇଛନ୍ତି।
ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ
ମୋ ନିଯୁଜୁ ଓଡିଶା

