ଅର୍ଣ୍ଣବ ପ୍ରଭାବରେ ଚାଷ ଜମି ଜଳମଗ୍ନ, ଦୁର୍ଦ୍ଦଶାରେ ଚାଷୀ; ପ୍ରଶାସନ ନିରବ

 


ଗଞ୍ଜାମ, ଧରାକୋଟ (ରିପୋର୍ଟ–ଶଙ୍କର ପାଣିଗ୍ରାହୀ) ୨୬/୦୯/୨୦୨୬: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ନନ୍ଦିଘୋରା ଗ୍ରାମରେ ଅର୍ଣ୍ଣବ ପ୍ରଭାବରେ ଚାଷ ଜମି ଜଳମଗ୍ନ ହୋଇପଡ଼ିଛି। ଗତ ଚାରି ଦିନ ଧରି ଜମିରେ ପାଣି ଜମି ରହିଥିବାରୁ ଚାଷୀମାନେ ଦୁର୍ଦ୍ଦଶାରେ ପଡ଼ିଛନ୍ତି। ବର୍ଷା ଛାଡ଼ିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଅନେକ ଚାଷ ଜମିରେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ପାଣି ଜମି ରହିଥିବା ଦେଖାଯାଇଛି। ସ୍ଥାନୀୟ ଚାଷୀମାନଙ୍କ କହିବାନୁସାରେ, ଆଗକୁ ଆଉ ବର୍ଷା ନହେଲେ ମଧ୍ୟ ଜମିରୁ ପାଣି ସମ୍ପୂର୍ଣ୍ଣ ହ୍ରାସ ପାଇବାକୁ ଆହୁରି ପ୍ରାୟ ତିନି ଦିନ ସମୟ ଲାଗିପାରେ। ଏଭଳି ସ୍ଥିତି ଜାରି ରହିଲେ ପ୍ରାୟ ୧୦୦୦ ଏକରରୁ ଅଧିକ ଧାନ ଚାଷ ନଷ୍ଟ ହେବାର ଆଶଙ୍କା ରହିଛି। ଚାଷୀମାନେ କହିଛନ୍ତି ଯେ, ଚାଷ ନଷ୍ଟ ହେଲେ ଅନେକ ପରିବାର ଆର୍ଥିକ ସଙ୍କଟରେ ପଡ଼ିବେ। ଚାଷ ପାଇଁ ନିଆଯାଇଥିବା ଋଣ ଶୁଝିବା କଷ୍ଟକର ହେବା ସହ ବର୍ଷକର ଖାଦ୍ୟଶସ୍ୟ ଓ ରୋଜଗାର ମଧ୍ୟ ପାଣିରେ ନଷ୍ଟ ହୋଇଯିବା ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ନନ୍ଦିଘୋରା ନିକଟ ଦେଇ ପ୍ରବାହିତ ମଙ୍ଗଳପୁର ନାଳ ପ୍ରାୟ ୧୦ ଖଣ୍ଡ ଗ୍ରାମାଞ୍ଚଳ ଦେଇ ଆସିଥିବାରୁ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇଛି। ନାଳଟି ପୋତି ହୋଇଯାଇଥିବାରୁ ବର୍ଷାଜଳ ଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ। ଫଳରେ ନାଳ ଦେଇ ଜଳ ପ୍ରବାହିତ ହେବା ପରିବର୍ତ୍ତେ ଚାଷ ଜମି ଦେଇ ପାଣି ପ୍ରବାହିତ ହେଉଛି। ନାଳଟିକୁ ସଫା କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ ଏଯାଏଁ ସ୍ଥାୟୀ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ଚାଷୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ, ଉଚିତ କ୍ଷତିପୂରଣ ପ୍ରଦାନ ଏବଂ ମଙ୍ଗଳପୁର ନାଳର ସ୍ଥାୟୀ ଭାବେ ପୁନରୁଦ୍ଧାର ଓ ସଫେଇ କରିବାକୁ ଦାବି କରିଛନ୍ତି। ଏହା ଦ୍ୱାରା ଭବିଷ୍ୟତରେ ଏଭଳି ଜଳବନ୍ଦୀ ସମସ୍ୟାରୁ ଚାଷୀମାନେ ମୁକ୍ତି ପାଇପାରିବେ ବୋଲି ସେମାନେ କହିଛନ୍ତି।

ଧରାକୋଟରୁ ଶଙ୍କର ପାଣିଗ୍ରାହୀଙ୍କ ରିପୋର୍ଟ

              ମୋ ନିଯୁଜୁ ଓଡିଶା

Post a Comment

Previous Post Next Post