ନିଶା ମାଫିଆଙ୍କ ବିରୋଧରେ ଭଞ୍ଜନଗର ପୋଲିସର ବଡ ସଫଳତା।

 


ଭଂଜନଗର.-୦୫/୦୮ (ପ୍ରଫୁଲ୍ଲ କୁମାର ମହାରଣା) ଭଞ୍ଜନଗର ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବ୍ରାଉନ ସୁଗାର କାରବାର ଉପରେ ଚଢ଼ାଉ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୪୪ ଗ୍ରାମ ବ୍ରାଉନ ସୁଗାର, ନଗଦ ଟଙ୍କା, ମୋବାଇଲ ଫୋନ, କାର ଓ ବାଇକ ଜବତ କରିଛି ପୋଲିସ। ଏହି ଚଢ଼ାଉରେ ଏକ ବଡ଼ ନିଶା କାରବାର ଚକ୍ରର ପର୍ଦ୍ଦାଫାସ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧୀନ ମା' ସୋରା ଦେବୀ ମନ୍ଦିର ଓ ବୁଦୁଲି ଗାଁ ମଧ୍ୟରେ ଭଂଜନଗର ଥାନାର ଆଇ. ଆଇ. ସି. ଜିବନା ନନ୍ଦ ଜେନାଙ୍କ ନେତୃତ୍ୱରେ ଏସ୍. ଆଇ. ସମିର କୁମାର ସେଠୀ ଓ ଷ୍ଟାଫ୍ ପେଟ୍ରୋଲିଂ ଓ ବ୍ଲକିଂ ଡ୍ୟୁଟି ସମୟରେ ଭଞ୍ଜନଗର ପୋଲିସ ଏହି ସଫଳତା ହାସଲ କରିଛି। ସୂଚନା ପ୍ରକାରେ ପୋଲିସ ଏକ ଫୋର୍ଡ ଇକୋସ୍ପୋର୍ଟ କାର ଓ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟର ସାଇକେଲକୁ ଅଟକାଇ ଯାଞ୍ଚ କରିଥିଲ । ଅଭିଯୁକ୍ତମାନେ ଭଞ୍ଜନଗର ଓ ଗାଙ୍ଗପୁର ଅଞ୍ଚଳରେ  ବ୍ରାଉନ ସୁଗାର ବିକ୍ରି କରିବାକୁ ଆସିଥିବା ସ୍ୱୀକାର କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ବ୍ରାଉନ ସୁଗାର ପୂର୍ବରୁ ବିକ୍ରି କରିଥିବା କଥା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିଲେ। ପୋଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ବାଉଁଶାଳୁଣ୍ଡି ଗ୍ରାମର ରିପୁ ଓରଫ ଅମିତ କୁମାର ବେହେରା, ଚଢ଼ିଆପଲ୍ଲୀର ସରୋଜ କୁମାର ମହାନ୍ତି, ଲଣ୍ଡାଜୁଆଳିର ସତୀଶ ଓରଫ ମାନସ ରଞ୍ଜନ ଜେନା ଓ କାନ୍ହୁ ଚରଣ ଜେନା। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ମୋଟ ୪୪ ଗ୍ରାମ ବ୍ରାଉନ ସୁଗାର, ୧୪ ହଜାର ୬ ଶହ ଟଙ୍କା ନଗଦ, ୪ଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ, ଏକ ଫୋର୍ଡ ଇକୋସ୍ପୋର୍ଟ କାର ଏବଂ ଏକ ହୋଣ୍ଡା ୟୁନିକର୍ଣ୍ଣ ମୋଟରସାଇକେଲ ଜବତ କରିଛି। ଏହି ଘଟଣାରେ  ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଡ଼ଃ ଦୀପକ କୁମାର ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Post a Comment

Previous Post Next Post