୧୯ ତାରିଖରେ ଲୋହରାଖଣ୍ଡି ସାହିତ୍ୟ ସଂସଦର ୨୩ତମ ପ୍ରତିଷ୍ଠା ଦିବସ

 


ଭଞ୍ଜନଗର : ସ୍ଥାନୀୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତାର ୨୩ତମ ପ୍ରତିଷ୍ଠା ଦିବସ ଏବଂ ଅନୁଷ୍ଠାନ ଦ୍ୱାରା ପରିଚାଳିତ ‘ଆମ ଖବର’ର ୫ମ ସ୍ୱନକ୍ଷତ୍ର ଦିବସ ଆସନ୍ତା ୧୯ ତାରିଖରେ ପାଳନ କରିବାକୁ ଯାଉଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ସଂସଦ ସଭାପତିଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ଡକ୍ଟର ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ସମୟରେ ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା ସ୍ୱାଗତ ଜଣାଇଥିଲେ। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ୧୯ ତାରିଖ ରବିବାର ଦିନ ଅନୁଷ୍ଠାନର ୨୩ତମ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଲୋହରାଖଣ୍ଡି’ର ପୂଜା ସଂଖ୍ୟା ଉନ୍ମୋଚିତ ହେବା ସହିତ ସଂସଦର ପ୍ରକାଶନ ବିଭାଗରୁ ୧୦ଗୋଟି ପୁସ୍ତକ ଉନ୍ମୋଚିତ ହେବାର କାର୍ଯ୍ୟକ୍ରମ ରହିଛି। ସୁବାସ ଚନ୍ଦ୍ର ତାରିଣୀଙ୍କ କବିତା ସଂକଳନ ‘ବର୍ଣ୍ଣବିଭା’, ନଳିନୀପ୍ରଭା ମିଶ୍ରଙ୍କ କବିତା ସଂକଳନ ‘ଅସ୍ତରାଗ’, ବୈଷ୍ଣବ କୁମାର ଦାଶଙ୍କ ପ୍ରବନ୍ଧ ସଂକଳନ ‘ସଂସ୍କୃତ ସଞ୍ଚୟନ’, ପ୍ରସନ୍ନ କୁମାର ଦାଶଙ୍କ ଶିଶୁ ଗଳ୍ପ ସଂକଳନ ‘ଆମ ପୌରାଣିକ ଚରିତ୍ର’, କଳ୍ପନା କୁମାର ପ୍ରଧାନଙ୍କ ଗଳ୍ପ ସଂକଳନ ‘ସାୟାହ୍ନର ସୂର୍ଯ୍ୟ’ ଓ କବିତା ସଂକଳନ ‘ସମନ୍ୱୟ’, ପ୍ରତିଭା କୁମାରୀ ପାଢ଼ୀଙ୍କ ଶିଶୁ କବିତା ସଂକଳନ ଓ ଭଜନ, ରାଜୀବ ଲୋଚନ ପାଣିଗ୍ରାହୀଙ୍କ କବିତା ସଂକଳନ ‘ସପ୍ତଫେଣୀର ଫୁଲ’, ଭାଗିରଥୀ ବେହେରାଙ୍କ ଉପନ୍ୟାସ ‘ତୃତୀୟ ପୁରୁଷ’ ଉନ୍ମୋଚିତ ହେବ। ଏହି ବର୍ଷ ଠାରୁ ଆରମ୍ଭ ହୋଇଥିବା ସ୍ମୃତି ସମ୍ମାନ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ‘ଲୋକବନ୍ଧୁ ସଚ୍ଚିଭାଇ ସ୍ମୃତି ସମ୍ମାନ’, ଡକ୍ଟର କନକ ମଞ୍ଜରୀ ପଟ୍ଟନାୟକଙ୍କୁ ‘କବି ରବି ଜେନା ସ୍ମୃତି ସମ୍ମାନ’, କ୍ୟାପଟେନ ମହେନ୍ଦ୍ର କୁମାର ସ୍ୱାଇଁଙ୍କୁ ‘ରବୀନ୍ଦନାଥ ମିଶ୍ର ସ୍ମୃତି ସମ୍ମାନ’, ଡକ୍ଟର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ‘ଦିବାକର ସ୍ୱାଇଁ ସ୍ମୃତି ସମ୍ମାନ’, ଶ୍ରୀମତୀ ମମତା ନନ୍ଦଙ୍କୁ ‘ନୟନାଦେବୀ ସ୍ମୃତି ସମ୍ମାନ’, ସନ୍ତୋଷ କୁମାର ବେହେରାଙ୍କୁ ‘କୃଷ୍ଣଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ’ ୨୦୨୫ରେ ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରାଗଲା। ଏହା ସହିତ ଲୋହରାଖଣ୍ଡି ଗଳ୍ପ ସମ୍ମାନ ଡକ୍ଟର ତୃପ୍ତି ରଞ୍ଜନ ଦାଶ, ଲୋହରାଖଣ୍ଡି କବିତା ସମ୍ମାନ ଶ୍ରୀମତୀ ତପସ୍ୱିନୀ ମିଶ୍ର, ଶ୍ରେଷ୍ଠ ଉପସ୍ଥାପିକା ସମ୍ମାନ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପାଣିଗ୍ରାହି ସମେତ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରସ୍ତୁତ ବୈଠକରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ପୁରୁଷୋତ୍ତମ ମହାପାତ୍ର, ସାଙ୍ଗଠନିକ ସମ୍ପାଦିକା କଳ୍ପନା କୁମାରୀ ପ୍ରଧାନ, ମିଡ଼ିଆ ସଂଯୋଜକ ରଞ୍ଜିତ ଜେନା, ସଦସ୍ୟା ସୁଜାତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଶେଷରେ ନବ କୁମାର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ।

Post a Comment

Previous Post Next Post