(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ)
ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳା ଗ୍ରାମର ବହୁ ପୁରାତନ କାଳରୁ ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ କନକେଶ୍ବର ମହାଦେବ ମନ୍ଦିର ଚଳିତ ବର୍ଷ ମେ ମାସ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ନୂତନ ଭାବେ ନିର୍ମିତ ଶୈବ ପଞ୍ଚାୟତନ ପ୍ରସାଦ ତତ୍ ସହ ଭଗବତୀ ମହାମାୟୀ " ସହ ଦେବୀ"ଙ୍କ ନୂତନ ବିଗ୍ରହ ସହିତ ଦେବୀ ପ୍ରାସାଦ ପ୍ରତିଷ୍ଠା ଓ ଚବିଶି ପ୍ରହର ନାମ ଯଜ୍ଞ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ପ୍ରଥମ ଦିନରେ ଜଳଯାତ୍ରା, ଶିକ୍ଷାଗ୍ରହଣ , ଅଙ୍କୁରାରୋପଣ ସହ ମଣ୍ଡଳ ପୂଜା ଓ ନାମଯଜ୍ଞଧିବାସ ଅନୁଷ୍ଠିତ ହୋଇଯାଇଛି। ପ୍ରତିଦିନ ମଣ୍ଡଳ ପୂଜା, ଘୃତଯଜ୍ଞ, ନାମଯଜ୍ଞ, ସୂର୍ଯ୍ୟ ପୂଜା ସହ ଅନ୍ୟାନ୍ୟ ପୂଜା ହୋଇଆସୁଥିବା ବେଳେ ପ୍ରତିଷ୍ଠା ଉତ୍ସବର ତୃତୀୟ ଦିନ ଅର୍ଥାତ୍ ଶୁକ୍ରବାର ଅପରାହ୍ନ ଚାରି ଘଣ୍ଟା ସମୟରେ ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ। ଗ୍ରାମବାସୀଙ୍କ ତରଫରୁ ବିଧାୟକ ଶ୍ରୀ ମହାପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସହ ଉପଢୌକନ ଦିଆଯାଇଥିଲା । ପରେ ବିଧାୟକ ଶ୍ରୀ ମହାପାତ୍ର ପ୍ରଭୁ ଶ୍ରୀ ଶ୍ରୀ କନକେଶ୍ବର ମହାଦେବ ମନ୍ଦିରରେ ପ୍ରବେଶ କରି ପ୍ରଭୁ ନିକଟରେ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିବା ସହ ମନ୍ଦିର ର କମିଟି ଙ୍କ ଦ୍ଵାରା ମନ୍ଦିର ର ଉନ୍ନତି ଉପରେ ଆଲୋଚନା କରିଥିଲେ। ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ମନ୍ଦିର ର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଞ୍ଚଦିନ ବ୍ୟାପି ଚାଲୁରହିବ ତତ୍ ସହିତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ପ୍ରତିଷ୍ଠା ଶେଷ ଦିନରେ ପାର୍ଶ୍ବ, ଦ୍ବାର, ତ୍ରିଶୂଳ, ଚକ୍ର, ଦେବତା ପ୍ରବେଶ, ଯଜମାନ ପ୍ରତିଷ୍ଠା, ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି । ଚିକିଟି ଲୋକନାଥପୁର ଗ୍ରାମର ମୁଖ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢୀଙ୍କ ଦ୍ୱାରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁରହିଛି । ଏହି ଉତ୍ସବ ଦେଖିବାକୁ ଆଖପାଖ ଗ୍ରାମର ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ସମାଜସେବୀ ଉଦୟ ବେହେରା, ପୂର୍ବତନ ଜିଲ୍ଲାପରିଷଦ କୈଳାସ ବିଷୋୟୀ, ମନ୍ଦିର କମିଟି ପ୍ରତାପ ପାଢ଼ୀ, ଦିଲ୍ଲୀପ ପାତ୍ର, ତେଜେଶ୍ବର ପାତ୍ର, ଅରୁଣ ପାତ୍ର, ତରୁଣ ପାତ୍ର, ବରୁଣ ପାତ୍ର, ନୀଳାଚଳ ପାତ୍ର, ପ୍ରଦୀପ ପାତ୍ର, ରଘୁରାମ ପାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଯୁବଗୋଷ୍ଠୀ, ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।