ବିଜୁଳି ଦେଖିନି ଗାଁ: ପ୍ରତିଶ୍ରୁତି ଦେଇ ଭୁଲିଗଲା ପ୍ରଶାସନ, ଡିବିରି ଆଲୁଅରେ କଟୁଛି ଜୀବନ ।


କନ୍ଧମାଳ,  ମୋ ନିୟୁଜ ଓଡିଶା ୨୮/୦୧/୨୦୨୫ 

କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କରିପୋର୍ଟ 

ଆଧୁନିକତାର ସ୍ପର୍ଶରେ ଆଗକୁ ଆଗକୁ ବଢୁଛି ଦେଶ । ଡିଜିଟାଲାଇଜେସନ୍ କରିବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଆଜି ବି ଏମିତି ଗାଁ ଅଛି ଯେଉଁଠି ବିଜୁଳି ଆଲୁଅ ପାଲଟିଛି ସାତ ସପନ । ଏବେ ବି କନ୍ଧାମାଳ ଜିଲ୍ଲାରେ ଅନେକ ଗାଁ ଅଛି ଯେଉଁଠି ଜନ୍ମରୁ ବିଜୁଳି ଆଲୁଅ ଦେଖିନାହାଁନ୍ତି ଗାଁ ଲୋକେ । ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । 

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବ୍ଲକ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଗାଁ ଗୋଦାବରୀ, ସ୍ରାମ୍ବି ପଡା, ଲଣ୍ଡୁଗୁଡ଼ା,। ଏହି ଗାଁଗୁଡିକରେ ଶତାଧିକ ପରିବାର ବସବାସ କରୁଛନ୍ତି ।କିନ୍ତୁ ଗ୍ରାମବାସୀମାନେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ଗାଁକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଆଲୋକ ପହଞ୍ଚି ନାହିଁ ତେଣୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନବେଳେ ଏକ ପ୍ରକାରେ ଚଳିଯାଉଥିବା ବେଳେ ରାତିହେଲେ ଅନ୍ଧାରରେ ସମୟ ବିତାଇବାକୁ ପଡ଼ୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ, ସ୍ବାଧୀନତାର ପରଠୁ ଡିବିରି ଆଲୁଅରେ  ଗ୍ରାମବାସୀଙ୍କ ରାତି କଟୁଛି। ଏନେଇ ସରପଞ୍ଚ , ବିଡ଼ିଓ,ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଧା ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ। କିଛି ବର୍ଷ ପୂର୍ବେ ବିଡ଼ିଓ,ସମିତି ଅଧ୍ୟକ୍ଷା ଲୋକଙ୍କ ସମସ୍ୟା ବୁଲି ଦେଖି ଥିଲେ। କେବଳ ଆଲୁଅ ନୁହେଁ, ମୌଳିକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପର୍ଯ୍ୟନ୍ତ କିନ୍ତୁ ଉପାନ୍ତ ଗାଁଗୁଡ଼ିକର ସ୍ଥିତି ଯେମିତିକୁ ସେମିତି ହୋଇ ରହିଛି।  ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିବା ପରେ ବିଜୁଳି ଆଲୁଅ ଦେଖିବାକୁ ଏଠାକାର ଲୋକମାନେ ଆଶା ବାନ୍ଧିଥି‌ଲେ। ହେଲେ, ରାଜନେତାଙ୍କ ପରି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦେଇଥିବା ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ ପାସୋରି ଗଲେ। ଫଳରେ, ପ୍ରତିଶ୍ରୁତି ଭିତରେ ଦୀର୍ଘ ୭୬  ବର୍ଷ ଧରି ସେମାନେ ଦୟନୀୟ ଜୀବନ ବିତାଉଛନ୍ତି। ସଞ୍ଜ ନଇଁଲେ ଡିବିରି ଆଲୁଅ ଏମାନଙ୍କ ପାଇଁ ଏକମାତ୍ର ସାହା ଭରସା ପାଲଟିଛି। ପିଲାଙ୍କ ପାଠପଢ଼ାଠାରୁ ଆରମ୍ଭ କରି ରାତିରେ ସମସ୍ତ କାମ ପର୍ଯ୍ୟନ୍ତ ଏହି ଡିବିରି ଆଲୁଅ ଭରସା ପାଲଟିଛି।କିଛି ଲୋକଙ୍କୁ ୫ ବର୍ଷ ତଳେସୌର ଚାଳିତ ଲାଇଟ୍ ସଂଯୋଗ କରାଯାଇଥିଲା ତାହା ଏବେ ଖରାପ ହେଲାଣି ।ସେଗୁଡ଼ିକର ମରାମତି କରାଯାଉ ନ ଥିବାରୁ ସେ ସବୁ ଅକାମୀ ହୋଇ ଗଲାଣି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଗତ ୨୦୧୮ ମସିହାରେ ଅଭିଯୋଗ କରିବାରୁ ପ୍ରଶାସନ ମିଣିଆ ଖଟି ବସ୍ତିରେ ପହଞ୍ଚିଥିଲେ। ପିଲାମାନଙ୍କୁ ଶିକ୍ଷା ବ୍ୟବସ୍ଥା ଓ ଯୁବକମାନଙ୍କୁ ଗାଁର ମୌଳିକ ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରି ବୁଝିଥିଲେ। ସେସବୁ କରିବାର ପ୍ରତିଶ୍ରୁତି ଦେଇଥିଲେ ।ପର୍ଯ୍ୟାୟକ୍ରମେ ପ୍ରତିଟି ଗାଁ କୁ ବିଜୁଳି ସଂଯୋଗ ହେବ ବୋଲି କହିଥିଲେ କିନ୍ତୁ , ଇତିମଧ୍ୟରେ ୭  ବର୍ଷ  ବିତିଯାଇଥିଲେ ହେଁ, ଚାରି ବସ୍ତି ଓ ଗାଁରେ ଗୋଟିଏ ହେଲେ ବିଜୁଳି ଖୁଣ୍ଟ ପଡ଼ିନଥିବା ସେମାନେ ଅଭିଯୋଗ କରିଛନ୍ତି।  କେବଳ ବିଜୁଳି ନୁହେଁ, ଗାଁକୁ ଭଲ ରାସ୍ତାଟିଏ ବି ନ ଥିଲା ।ଏବେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଭେଟଖୋଲ୍ ଠାରୁ ଲଣ୍ଡୁ ପଡା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ କରାଯାଇଛି ।କିନ୍ତୁ ତାହା ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ତାହାର ସ୍ଥାୟୀତ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ । ପାଇପ ପାଣି ଏମାନଙ୍କ ପାଇଁ ସାତ ସପନ ହୋଇଛି। ସଲାର ପାଣି ସଂଯୋଗ ପାଇଁ ଟାଙ୍କି ବସିଛି ।କିନ୍ତୁ ସଂଯୋଗ ନ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।ଲୋକେ ନଦୀ ନାଳ, ଚୁଆଁ ପାଣି ଭରସାରେ ରହୁଛନ୍ତି ।ପିଇବା ପାଣି ପାଇଁ ନଦୀ ନାଳ ଭରସା ହୋଇଛି । ‘ଜିଲ୍ଲା ପ୍ରଶାସନକୁ ଥରେ ନୁହେଁ ଅନେକବାର ଦୁଃଖ ଜଣାଇଛୁ। ସବୁକିଛି ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏଯାଏଁ କିଛି ହୋଇନାହିଁ,’ ବୋଲି କହିଛନ୍ତି  ଜଗନ୍ନାଥ କହଁର,ବିଶ୍ଵନାଥ କହଁର,ସନ୍ୟାସୀ କହଁର, ପରଦେଶୀ ମଲ୍ଲିକ, ସଞ୍ଜୟ ମାଝୀ, ବିଛନ୍ଦ ମାଝୀ ,ରାଜୁ ବିନ୍ଧାଣି ପ୍ରମୁଖ ।ଗାଁରେ ସ୍କୁଲ,ଅଙ୍ଗନୱାଡ଼ି ନାହିଁ ପିଲାଛୁଆ ପାଠ ପଢିବା ରେ ଅସୁବିଧା ହେଉଛନ୍ତି  ।ଏମିତି ଅନେକ ସମସ୍ୟାରେ ଆମ୍ଭେ ଘାରି ହୋଇ ଦୁର୍ଦ୍ଦିନରେ ବନବାସୀ ଜୀବନ କାଟୁଛୁ ବୋଲି କହିଛନ୍ତି ।ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Post a Comment

Previous Post Next Post