ଭଞ୍ଜନଗର ମୋ ନିୟୁଜ ଓଡିଶା : ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ଆବାହକତ୍ୱ ଓ କବି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ନାୟକ ଭବନଠାରେ
ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ପ୍ରାରମ୍ଭରେ ଆବାହକ ସୋମନାଥ ନାୟକ ସମ୍ବିଧାନର ମୁଖବନ୍ଧ ପଠନ କରି ବୁଝାଇବା ସହିତ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କେ ସୂଚନା ପ୍ରଦାନ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ ସମ୍ବିଧାନରେ ସନ୍ନିବେଶ ହୋଇଥିବା ମୌଳିକ ଅଧିକାର, ନାଗରିକମାନଙ୍କ କର୍ତ୍ତବ୍ୟ ଓ ମାନବବାଦ ସମ୍ପର୍କେ ଆଲୋଚନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ ସମ୍ବିଧାନ ଗଠନ ସଂଘର୍ଷ ଓ ସଙ୍କଟରୁ ସୃଷ୍ଟି ହୋଇଥିବା କହିବା ସହିତ ଇଂଲଣ୍ଡ, ଆମେରିକା ଓ ଫ୍ରାନ୍ସରେ ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ ସମ୍ପର୍କେ ବକ୍ତବ୍ୟରେ ପ୍ରକାଶ କରିଥିଲେ। କେଶବାନନ୍ଦ ଭାରତୀ ମୋକଦମାର ରାୟ ସମ୍ବିଧାନର ମୌଳିକ ଆଧାର ଗୁଡିକର ସିଦ୍ଧାନ୍ତ କରିବାରେ ସହାୟକ ହୋଇଥିଲା ବୋଲି କହିଥିଲେ। ଆଇନଜୀବୀ ଜ୍ୟୋତିରାଜ ପତି ଓ ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ପରିଡା କହିଥିଲେ ଯେ ସାମ୍ପ୍ରତିକ ସମୟେ ଶିକ୍ଷିତ, ବୁଦ୍ଧିଜୀବୀ ଓ ନାଗରିକ ସମାଜ ଜନସାଧାରଣଙ୍କୁ ସମ୍ବିଧାନ ସମ୍ପର୍କେ ସଚେତନ କରାଇବା ସହ ସମ୍ବିଧାନର ସୁରକ୍ଷା ସକାଶେ ଆଗେଇ ଆସିବାପାଇଁ ଆହ୍ୱାନ ଦେଇଥିଲେ। ସଭାପତି କବି ପ୍ରଶାନ୍ତ ମହାନ୍ତି ସମ୍ବିଧାନର ମୁଖବନ୍ଧରେ ରହିଥିବା "ସମାଜବାଦ ଓ ଧର୍ମ ନୀରପେକ୍ଷତା’ ପଦ ଦୁଇଟିକୁ ବାଦଦେବାପାଇଁ ହୋଇଥିବା ଯାଚିକାକୁ ରଦ୍ଦକରି - ଏହା ସମ୍ବିଧାନର ମୌଳିକ ଆଧାର ବୋଲି ସୁପ୍ରିମକୋର୍ଟ ପ୍ରମାଣ କରିଥିବାରୁ ଏହାକୁ ସ୍ୱାଗତ କରିବା ସହିତ ସାଧୁବାଦ ଜ୍ଞାପନ କରିଥିଲେ। ସକୀର୍ଣ୍ଣ ଓ ସାମ୍ପ୍ରଦାୟିକ ମନୋଭାବ ନେଇ ଅନ୍ୟ ଧର୍ମ ପ୍ରତି ଘୃଣା ଓ ବିଦ୍ୱେଷ ଭାବ ପ୍ରକାଶ କରୁଥିବା ଲୋକମାନଙ୍କୁ ଏଥିରୁ କ୍ଷାନ୍ତ ହେବାପାଇଁ ସେ ପରାମର୍ଶ ଦେଇଥିଲେ। ପ୍ରତାପ ଚନ୍ଦ୍ର ସାହୁ, ପଣ୍ଡିତ ବିପ୍ର ଚରଣ ସାହୁ, ରଂଜିତ ଜେନା, ଏ.ଶଙ୍କର ନାରାୟଣ ପାତ୍ର, ବି. ରାମଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା