ଭଞ୍ଜନଗର: ମୋ ନିୟୁଜ ଓଡିଶା ବରିଷ୍ଠ କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁ ୭୦ ବର୍ଷ ବୟସରେ ଇହଧାମ ତ୍ୟାଗ କଲେ। ସେ ଜଣେ କର୍ତ୍ତବ୍ୟବାନ ଡାକ କର୍ମଚାରୀ ସହ ଜଣେ କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟିର ଆଜୀବନ ସଦସ୍ୟ ଥିଲେ। ସେ ନିଜର କର୍ମମୟ ଜୀବନ ମଧ୍ୟରେ ବହୁ ସଂଗଠନ ସହ ଜଡିତ ହୋଇ ଅନେକ ଗୁଡିଏ ପଦରେ ରହି କାର୍ଯ୍ୟ ତୁଳାଇ ଥିଲେ। ଜଣେ ଶ୍ରମିକ ନେତା ଭାବେ ଓଡ଼ିଶାରେ କୋଣ ଅନୁକୋଣରେ ପରିଚିତ ଥିଲେ। ଭଞ୍ଜନଗର ବାଉଁଶଲୁଣ୍ଡି ଗ୍ରାମର ଅଗ୍ରଣୀ ରାଧାକୃଷ୍ଣ ପାଠାଗାରର ସଭାପତି ଭାବେ କାର୍ଯ୍ୟ ତୁଲାଇ ଥିଲେ। ସେହିପରି ବରିଷ୍ଠ ନାଗରିକ ମଞ୍ଚର ସହ-ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଚାକିରୀରୁ ଅବସର ନେବା ପରେ ବିଭିନ୍ନ ରାଜନୈତିକ ଓ ସାମାଜିକ ଆନ୍ଦୋଳନର ଅଗ୍ର ଭାଗରେ ଥିଲେ। ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଜଣେ ସକ୍ରିୟ ସଭ୍ୟ ରହିବା ସହ ଘୁମୁସର ଜିଲ୍ଲା ଆନ୍ଦୋଳନ ହେଉ ବା ଜଣେ ସାଧାରଣ ଜନତାର ଅଧିକାର ପାଇଁ ପ୍ରଶାସନ ସହ ଲଢେଇ କରୁଥିଲେ। ଘୁମୁସର ବିକାଶ ପରିଷଦ ଟ୍ରଷ୍ଟର ଅନ୍ୟତମ ନ୍ୟାସୀ ଥିଲେ। ଜନସେବା ତାଙ୍କ ଜୀବନର ବ୍ରତ ଥିଲା। ଆଜିର ଏହି ଦୁଃଖଦ ଖବର ଶୁଣି ଭଞ୍ଜନଗର ତଥା ନିଜ ଗ୍ରାମ ବାଉଁଶଲୁଣ୍ଡି ଗ୍ରାମବାସୀ ମର୍ମାହତ। ଶଯ୍ୟାଶାୟୀ ଅବସ୍ଥାରେ ଚିକିତ୍ସାଧୀନ ଥାଇ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସ୍ତ୍ରୀ, ଝିଅ, ଜ୍ୱାଇଁ ନାତି ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଞ୍ଚ ଓ ଘୁମୁସର ବିକାଶ ପରିଷଦ, ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା