ସାବଧାନ..! ବାଲିମେଳା ବସଷ୍ଟାଣ୍ଡରେ କୃତ୍ରିମ ହ୍ରଦ।

ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)

ଦୟନୀୟ ଅବସ୍ଥାରେ ବସଷ୍ଟାଣ୍ଡ ପରିସର। ଖାଲ ଖମା ଭରା ବସଷ୍ଟାଣ୍ଡରେ ବର୍ଷା ପାଣି ଜମି ସୃଷ୍ଟି ହେଉଛି କୃତ୍ରିମ ଗାଡ଼ିଆ। ଏପଟେ ରାସ୍ତା ଫାଟି ଆଁ କରି ଦେଖାଗଲାଣି ଲୁହା ଛଡ଼। ହନ୍ତସନ୍ତ ହେଉଛନ୍ତି ଶହ ଶହ ଯାତ୍ରୀ।ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି ସ୍ଥାନୀୟ ପ୍ରଶାସନ। ତେବେ ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ। ଜିଲ୍ଲାର ଏକମାତ୍ର ଏନଏସି ବାଲିମେଳା କିନ୍ତୁ ଏଯାଏଁ ଦୟନୀୟ ଅବସ୍ଥାରେ ରହିଛି ବାଲିମେଳା ସଦର ବସଷ୍ଟାଣ୍ଡ। ଦୈନିକ ୫୦ ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ବସ ଏହି ବସଷ୍ଟାଣ୍ଡରୁ ରାଜ୍ୟ ଭିତର , ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟକୁ ଯାଉଥିବା ବେଳେ ଶହ ଶହ ଯାତ୍ରୀ ଏହି ବସଷ୍ଟାଣ୍ଡ ଉପରେ ପ୍ରତିଦିନ ନିର୍ଭରଶୀଳ। ତେବେ ବସ ଷ୍ଟାଣ୍ଡ ପରିସରରେ ଥିବା ଖାଲ ଖମାରେ ବର୍ଷା ଜଳ ଜମିଥିବାରୁ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ଯାହାଦ୍ୱାରା ଲୋକେ ଚାଲି ଚାଲି ବସଷ୍ଟାଣ୍ଡ ମଧ୍ୟକୁ ଯିବା କଷ୍ଟକର ହୋଇପଡୁଛି। କେଉଁଠି କେଉଁଠି ତ ସିମେଣ୍ଟ କଂକ୍ରିଟ ମଧ୍ୟରୁ ଲୁହା ଛଡ଼ ବାହାରକୁ ଦେଖାଗଲାଣି। ଲୁହା ରଡ୍ରେ କିଛି ଯାତ୍ରୀ ମଧ୍ୟ ଝୁଣ୍ଟି ଆହତ ହେବାର ଦେଖିବାକୁ ମିଳିଛି କିନ୍ତୁ ସବୁ ଜାଣି ବି ଏଯାଏଁ ସ୍ଥାନୀୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ଏଥିସହ ବସଷ୍ଟାଣ୍ଡ ବିଲ୍ଡିଂ ମଧ୍ୟ ଏପରି ନିର୍ମାଣ ହୋଇଛି ଯେ ବର୍ଷା ଜଳ ବସଷ୍ଟାଣ୍ଡ ପରିସରକୁ ଆସି ଏଠାରେ ଜମି ମଶା ମାଛିଙ୍କର ଏନ୍ତୁଡ଼ିଶାଳ ପାଲଟିଛି। ଯାତ୍ରୀ ଏଠାରେ ବିଶ୍ରାମ ନେବା ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି। ବସଷ୍ଟାଣ୍ଡ ବିଲ୍ଡିଂ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି। କେତେବେଳେ ଯେ ଭାଙ୍ଗି ଭୁଷୁଡିପଡିବ ତାହା କହିହେବ ନାହିଁ। ତେଣୁ ତୁରନ୍ତ ଏହି ବସଷ୍ଟାଣ୍ଡର ପୁନଃଉଦ୍ଧାର କରି ସମ୍ମୁଖରେ ଥିବା ଖାଲଖମା ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ଏନେଇ ଆମେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ ନୂତନ ବସଷ୍ଟାଣ୍ଡ ନିମନ୍ତେ ଡିପିଆର ପ୍ରସ୍ତୁତ ହୋଇ ପଠା ଯାଇଥିବା କହିଥିବା ବେଳେ କଂକ୍ରିଟ ଭାଙ୍ଗି ରଡ୍ ଦେଖା ଯାଉଥିବା ସ୍ଥାନରେ ତୁରନ୍ତ କଂକ୍ରିଟ କରିବା ସହ ଖାଲଖମା ସ୍ଥାନରେ କ୍ରସର ଗୁଣ୍ଡ ପକାଯିବା ପାଇଁ ନିର୍ଦେଶ ଦିଆଯାଇଛି ବୋଲି କହିଥିଲେ।

Post a Comment

Previous Post Next Post