ମାଲକାନଗିରି ମୋ ନିୟୁଜ ଓଡିଶା (ନିରଞ୍ଜନ ମଲ୍ଲ)
ଘାଟି ଅଞ୍ଚଳରେ ପୁଣି ମାଟି ଅତଡ଼ା ଧସି ରାସ୍ତା ଅବରୋଧ। ଯନ୍ତ୍ରୀ ପଞ୍ଚାୟତର ୧୩ ଟି ଗ୍ରାମକୁ ଯାତାୟାତ ବାଧାପ୍ରାପ୍ତ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ମାରିୱାଡା ଠାରୁ ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ କରୁଥିବା ରାସ୍ତାରେ ମାଟି ଅତଡ଼ା ଏବଂ ବଡ଼ ପଥର ଖସି ରାସ୍ତା ମଝିରେ ପଡିଥିବାରୁ ଯନ୍ତ୍ରୀ ପଞ୍ଚାୟତକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ୧୩ ଟି ଗ୍ରାମର ଲୋକେ ଯାତାୟାତ ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଯାତାୟତ ବାଧାପ୍ରାପ୍ତ ହେବାରୁ ଅଞ୍ଚଳବାସୀ ଉଦବେଗ ପ୍ରକାଶ କରିଛନ୍ତି। କିଛି ବର୍ଷ ପୂର୍ବେ ଯନ୍ତ୍ରୀକୁ ଯିବାକୁ ୮ ଘଣ୍ଟା ସମୟ ଲାଗୁଥିଲା। ଚିତ୍ରକୋଣ୍ଡା ଲଞ୍ଚ ଘାଟ ଠାରୁ ଲଞ୍ଚ ମାଧ୍ୟମରେ ଜଳଯାତ୍ରା କରି ଯିବାକୁ ପଡୁଥିଲା। ନଚେତ କୋଡ଼ିଗନ୍ଧୀ ଠାରୁ ସନ୍ୟାସୀ ଗୁଡା ଓ ଭାଜାଗୁଡା ଦେଇ ଯିବାକୁ ପଡିଥାଏ।ରାସ୍ତା ହେବା ପରେ ଯନ୍ତ୍ରୀ ପଞ୍ଚାୟତକୁ ଯୋଗାଯୋଗ ସୁବିଧା ହୋଇଛି। ହେଲେ ପ୍ରତିବର୍ଷ ବର୍ଷା ଦିନେ ବାଲିମେଳା ଜଳଭଣ୍ଡାର ଜଳସ୍ତର ବଢିବା ଯୋଗୁଁ ଏହି ରାସ୍ତା ମଧ୍ୟ ସମ୍ପୂର୍ଣ ପାଣିରେ ବୁଡ଼ିଯାଇଥାଏ। ବର୍ଷା ଋତୁରେ ଏ ଅଞ୍ଚଳବାସୀ ମୁଖ୍ୟ ଭୂମିଖଣ୍ଡରୁ ବିଛିନ୍ନ ହୋଇଥାନ୍ତି।
ଏହି ସମୟରେ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।ଏଣୁ ମାରିୱାଡା ଠାରୁ ଯନ୍ତ୍ରୀ ପର୍ଯ୍ୟନ୍ତ ଏକ ନୂତନ ରାସ୍ତାର ନିର୍ମାଣ କରାଯାଇଥିଲା।ଦୀର୍ଘଦିନ ହେବ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ଗତକାଲି ଠାରୁ ରାସ୍ତା ଟି ସମ୍ପୂର୍ଣ ରୂପେ ବନ୍ଦ ହୋଇଯାଇଛି।ଫଳରେ ଯନ୍ତ୍ରୀ ପଞ୍ଚାୟତ ର ୧୩ଟି ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ ବିଛିନ୍ନ ହୋଇ ରହିଛି। ତୁରନ୍ତ ମାଲକାନଗିରି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ରାସ୍ତାରୁ ଅବରୋଧ ହଟାଇବାକୁ ଯନ୍ତ୍ରୀ ପଞ୍ଚାୟତ ବାସୀ ଦାବୀ କରିଛନ୍ତି।ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରାଜେନ୍ଦ୍ର ମହାକୁଡ଼ଙ୍କୁ ପଚାରିବାରୁ ପାହାଡ଼ରେ ଏକ ଫାଟ ସୃଷ୍ଟି ହୋଇ ଏପରି ଘଟିଥିବା କୁହାଯାଉଛି କିନ୍ତୁ କୌଣସି ଗ୍ରାମ ପ୍ରଭାବିତ ହୋଇନାହାନ୍ତି।ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି। ଖୁବଶୀଘ୍ର ରାସ୍ତା ଖୋଲିଯିବ ବୋଲି କହିଛନ୍ତି।


