କେନ୍ଦ୍ର ସରକାର ହେଉ କି ରାଜ୍ୟ ସରକାର, ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସାର ଯୋଗାଇବା ଓ ନିର୍ଦ୍ଧାରିତ ମୂଲ୍ୟରେ ଚାଷୀଙ୍କ ନିକଟରେ ସାର ପହଞ୍ଚାଇବା ପ୍ରମୁଖ ଦାୟିତ୍ବ।ତେବେ ଆବଶ୍ୟକ ପରିମାଣର ସାର ମିଳୁନଥିବା ଯୋଗୁ ଚାଷୀମାନେ ବଜାରରୁ ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି।ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଞ୍ଚଳରେ ବେଉସଣ କାର୍ଯ୍ୟ ଜୋର୍ ସୋର୍ ରେ ଚାଲିଛି। ଏହି ସମୟରେ ସାରର ଆବଶ୍ୟକ ରହିଥିବା ବେଳେ ସାରର ଅଭାବି ବିକ୍ରି ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବିଭିନ୍ନ ସ୍ଥାନରେ ସାରର ବ୍ୟାପକ କଳାବଜାରୀ ହେଉଛି। ସାରର ଅଭାବି ବିକ୍ରି ଯୋଗୁଁ ସ୍ଥାନୀୟ ଚାଷୀ ମାନେ ବାଧ୍ୟ ହୋଇ ବେଗୁନିଆପଡ଼ା ଓ ସ୍ଥାନୀୟ ଅଞ୍ଚଳରେ ଥିବା ସ୍ୱୀକୃତି ପ୍ରାପ୍ତ ବେସରକାରୀ ଦୋକାନ ଗୁଡିକରୁ ଚଢା ଦରରେ ସାର କ୍ରୟ କରୁଥିବା କରିଛନ୍ତି।ବଜାରରେ ୟୁରିଆ ସାର ୫୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପଟାସ୍ ସାର ୧୮୦୦ ଟଙ୍କାରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଉଚିତ୍ ଦରରେ ସମବାୟ ସମିତି ମାନେ ଚାଷୀଙ୍କୁ ସାର ଯୋଗାଇବା ପାଇଁ ତାଗିଦ୍ କରିଥିଲେ। ହେଲେ ବର୍ତ୍ତମାନ ସମବାୟ ସମିତିରେ ଆଉ ଆଦୌ ସାର ମିଳୁନଥିବା ଦେଖିବାକୁ ମିଳିଛି। ସେହିପରି ଦିନକୁ ଦିନ ସାରର କଳାବଜାର ବଡିବାରେ ଲାଗିଛି କିନ୍ତୁ ପ୍ରଶାସନ ସାରର କଳାବଜାର ରୋକିବାରେ ବିଫଳ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ। ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଡବଲ ଇଞ୍ଜିନ ସରକାର ରହିଥିବା ବେଳେ ଚାଷୀମାନେ ସାର ପାଇବାରୁ ବଞ୍ଚିତ ହୋଇ ସମସ୍ୟାର ସମ୍ମୁଖିନ ହେଉଛନ୍ତି।ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ସାର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବେଗୁନିଆପଡ଼ା ଅଞ୍ଚଳର ଚାଷୀ।ସେପଟେ ଚଢା ଦରରେ ବିକ୍ରି ହେଉଥିବା ଜାଣିନି ବୋଲି କହିଛନ୍ତି ବେଗୁନିଆପଡ଼ା ବ୍ଳକ କୃଷି ଅଧିକାରୀ ରାମଲାଲ୍ ସାମଦ। ୟୁରିଆ ସାର ୨୬୬ ଟଙ୍କା ୫୦ ପଇସା ସରକାରୀ ଦର ରହିଥିବା ବେଳେ ୨ ଗୁଣା ଚଢା ଦରରେ ବିକ୍ରି କରି ଚାଷୀଙ୍କୁ ଶୋଷଣ କରୁଛନ୍ତି ବେଗୁନିଆପଡ଼ା ଅଞ୍ଚଳର ସାର ବ୍ଯବସାୟୀ। ଜିଲ୍ଲା ସ୍ତରୀୟ ଅଧିକାରୀ ସରପ୍ରାଇଜ୍ ଭିଜିଟ୍ କରି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଞ୍ଚଳର ଚାଷୀମାନେ।
Tags:
ଆଞ୍ଚଳିକ


